ରଙ୍ଗୀନ ଆତସବାଜୀରେ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ, ମନପ୍ରୀତ ସିଂହ ଉଡାଇଲେ ତ୍ରୀରଙ୍ଗା

କେନ୍ୟୁଜ୍(ବ୍ୟୁରୋ): ବାଜିଛି ବିଗୁଲ୍ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ ଭାରତର ୧୯ ଜଣ ଖେଳାଳି ଓ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ୨୧ ନମ୍ବରେ ପଡିଆକୁ ଆସିଥିଲା ଭାରତ । ଇଣ୍ଡିଆନ୍ ଫ୍ଲାଗ୍ ଧରି ଆସିଥିଲେ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଓ ବକ୍ସର ଏମ୍ ସି ମାରିକମ୍। ଏଥର କୋଭିଡ୍ ପାଇଁ ଉଦଘାଟନୀ ସମାରୋହରେ କମ୍ ଖେଳାଳି ଅଂଶଗ୍ରହଣ କରିଛନ୍ତି ।
ଆୟୋଜିତ ସମାରୋହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସମେତ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନ୍ ଉପସ୍ଥିତ ଥିଲେ । ଟୋକିଓ ଅଲିମ୍ପିକ୍ସରେ ୨୦୫ ଦେଶରୁ ୧୧ ହଜାର ଖେଳାଳି ସାମିଲ ହୋଇଛନ୍ତି । ୧୭ ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ୩୩ଟି ଭିନ୍ନ ଭିନ୍ନ କ୍ରୀଡ଼ା ପାଇଁ ୩୩୯ଟି ଇଭେଣ୍ଟ ହେବ । ଯେଉଁଥିରେ ଭାରତର ୧୨୭ ଜଣ ଖେଳାଳି ଭାଗ ନେବେ । ୨୦୨୦ ଅଲିମ୍ପିକ୍ସରେ ୬ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ୮୪ଟି ମେଡାଲ୍ ଇଭେଣ୍ଟସ୍ରେ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଛନ୍ତି । .. ଆଜିଠୁ ଆରମ୍ଭ ହୋଇଥିବା କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ ତାରିଖରେ ଉଦଯାପିତ ହେବ।.