ଦୀର୍ଘ ବର୍ଷ ହେବ ଏଠାରେ ଲାଗି ରହିଛି ଜଳ ସମସ୍ଯା: ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଚାଲେ ଲଟେରୀ ଖେଳ

ବ୍ରହ୍ମପୁର:  ମାଠିଏ ପାଣି ପାଇବା ପାଇଁ ପ୍ରତିଦିନ ଏଠାରେ ଚାଲେ ଲଟେରୀ ବ୍ଯବସ୍ଥା। ଏଭଳି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନ ନିକଟରେ ଥିବା ୩ ନମ୍ବର ଓ୍ଵାର୍ଡ଼ ସାହିରେ।

ମିଳିଥିବା ସୂଚନା ମୁତାବକ, ଏଠାରେ ପ୍ରତ୍ୟେକ ଦିନ ପାଣି ଆସିଥାଏ ସତ । ମାତ୍ର ୧୦ ରୁ ୧୫ ମିନିଟ୍‌ ପାଇଁ। ସ୍ୱଳ୍ପ ସମୟ ଯୋଗୁଁ ପାଣି ମାଠିଏ ପାଇଁ ଏଠାରେ ମହିଳାଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗିଥାଏ । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଣି ମାଠିଏ ପାଇଁ ଲଟେରୀ ବ୍ଯବସ୍ଥା କରାଯାଇଛି । ପାଣି ଆସିବା ସମୟ ପର୍ଯ୍ଯନ୍ତ ଯେଉଁମାନଙ୍କର ଲଟେରୀ ବାହାରିଥିବ ସେମାନେ ପାଣି ପାଉଛନ୍ତି ବଳକା ମହିଳା ମାନେ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ସମସ୍ଯା ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

water problemଏହି ସାହିରେ ପାଖାପାଖି ୩୦ଜଣ ପରିବାର ରହିଥିବା ବେଳେ ପ୍ରତିଦିନ ୧୦ଟି ପରିବାରକୁ ନେଇ ଲଟେରୀ କରା ଯାଇଥାଏ । ପରବର୍ତ୍ତୀ ଦିନ ଏଭଳି କ୍ରମାନ୍ଵୟରେ ଅନ୍ଯ ପରିବାରକୁ ନେଇ ଲଟେରୀ କରାଯାଇଥାଏ । ପାଣି ଆସୁଥିବା ଯାଏଁ ଯେଉଁମାନଙ୍କର ଲଟରୀରେ ପ୍ରଥମେ ନମ୍ବର ବାହାରେ ସେମାନଙ୍କୁ ପାଣି ମିଳିଥାଏ । ଯେଉଁମାନଙ୍କର ଶେଷ ନମ୍ବର ବାହାରିଥାଏ ସେତେବେଳକୁ ପାଣି ଆସୁଥିଲେ ତ ଭଲ କଥା ନଚେତ ପୁଣି ପାଣି ମାଠିଏ ପାଇଁ ଆର ଦିନକୁ ଅପେକ୍ଷା କରିବାକୁ ପଡ଼ିଥାଏ । ଏଭଳି ଲଟେରୀର ବ୍ଯବସ୍ଥା କରି ପ୍ରତିଦିନ ପାଣି ସଂଗ୍ରହ କରିଥାନ୍ତି ଏଠାକାର ମହିଳା ମାନେ ।

ଏହି ଓ୍ଵାର୍ଡ଼ରେ କେବଳ ଆଜି କିମ୍ବା କାଲି ନୁହେଁ ବରଂ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ଯା ଲାଗି ରହିଛି । ଯେଉଁ ମାନଙ୍କର ଲଟେରୀରେ ଶେଷ ନମ୍ବର ବାହାରେ ସେମାନଙ୍କୁ ପାଣି ମିଳୁନଥିବା ଯୋଗୁଁ ସେମାନେ ବାଇପାସ ନିକଟକୁ ଯାଇଥାନ୍ତି ପାଣି ଆଣିବା ନିମନ୍ତେ । ପ୍ରାୟ ଦୁଇ କିଲୋମିଟର ଦୂରକୁ ପାଣି ମାଠିଏ ଆଶା ନେଇ ମହିଳା ମାନେ ଯାଉଥିବା ବେଳେ ସେଠିକାର ବାସିନ୍ଦା ମଧ୍ୟ ପାଣି ଦେବା ନିମନ୍ତେ ମହିଳା ମାନଙ୍କୁ ପ୍ରାୟତଃ ମନା କରି ଦେଇଥାନ୍ତି । ଯାହାଫଳରେ ସେଠାରୁ ମଧ୍ୟ ନିରାଶ ହୋଇ ଫେରିଥାନ୍ତି ମହିଳା ମାନେ। ଏହି ପାଣି ସମସ୍ଯାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

waterନିକଟରେ ଏକ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ରହିଛି । ଏହି ପ୍ରକଳ୍ପ କିଛି ଦିନ କାମ କରିବା ପରେ ଅଚଳ ହୋଇଯିବାରୁ ଏଥିରେ ତାଲା ଝୁଲୁଛି । ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରିବା ନିମନ୍ତେ ମଧ୍ୟ ବାରମ୍ବାର ଦାବି ଜଣାଇଥିଲେ ସୁଦ୍ଧା ନା ପ୍ରକଳ୍ପ କାର୍ଯ୍ଯକ୍ଷମ ହେଉଛି ନା ସାହି ବାସିନ୍ଦାଙ୍କୁ ପାଣି ମିଳୁଛି । ଅନ୍ଯପଟେ ଖୁବଶୀଘ୍ର ପାନୀୟ ଜଳ ସମସ୍ଯାର ସମାଧାନ ନ ହେଲେ ଛତ୍ରପୁର ଏନଏସି କାର୍ଯ୍ଯାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓହ୍ଳାଇବୁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ତେବେ କେବେ ଏଠାରେ ଏହି ପାନୀୟ ଜଳ ସମସ୍ଯାର ସମାଧାନ ହେଉଛି ଏବଂ ସାହି ବାସିନ୍ଦାଙ୍କୁ ବୁନ୍ଦେ ବିଶୁଦ୍ଧ ପାନୀୟ ଜଳ ମିଳୁଛି ତାହା ଦେଖିବାକୁ ଅପେକ୍ଷା

ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ମାନସ ବିଷୋୟୀଙ୍କ ରିପୋର୍ଟ, କେନ୍ଯୁଜ୍

You might also like