ପ୍ରେମ କରି ଭୁଲ କଲି: ବିଶ୍ୱାସରେ ବିଷ ଦେଲା ପ୍ରେମିକ, ଜୀବନ ହାରିଲେ ପ୍ରେମିକା

ନିଜ ପ୍ରେମିକାକୁ କଣ୍ଢେଇ ଭଳି ବ୍ୟବହାର କରିବା ପରେ ତାଙ୍କ ଭାବନା ସହ ଖେଳିବାକୁ ପଛାନ୍ତି ନାହିଁ କିଛି ମଣିଷ ରୂପୀ ରାକ୍ଷସ । ଶେଷରେ ହତାଶ ହୋଇ କିଛି ପ୍ରେମିକା ଜୀବନ ହାରିବାକୁ ବାଧ୍ୟ ହୁଅନ୍ତି ।

ସମୟ ସହିତ ବଦଳିଛି ପ୍ରେମର ମାନସିକତା । ଦିନ ଥିଲା ପ୍ରେମକୁ ଚିରନ୍ତନ ଓ ଶାସ୍ୱତ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରେମର ପରିଭାଷା ବଦଳି ଯାଇଛି । ମଣିଷ ନିଜର ଦୈହିକ ସୁଖ ଉପଭୋଗ କରିବା ପରେ ନିଜ ପ୍ରେମିକା ସହ ଏପରି ଖେଳୁଛନ୍ତି ଯେପରି ପ୍ରେମର ମାନେ କିଛି ନାହିଁ । ନିଜ ପ୍ରେମିକାକୁ କଣ୍ଢେଇ ଭଳି ବ୍ୟବହାର କରିବା ପରେ ତାଙ୍କ ଭାବନା ସହ ଖେଳିବାକୁ ପଛାନ୍ତି ନାହିଁ କିଛି ମଣିଷ ରୂପୀ ରାକ୍ଷସ । ଶେଷରେ ହତାଶ ହୋଇ କିଛି ପ୍ରେମିକା ଜୀବନ ହାରିବାକୁ ବାଧ୍ୟ ହୁଅନ୍ତି । ସମାନ ଭାବେ ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଳାରୁ ସାମ୍ନାକୁ ଆସିଛି । ପ୍ରେମ ନେଇଗଲା ପ୍ରେମିକାର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି ।

ଘରେ ଝିଅ ଜନ୍ମ ହେବା ପରେ ଘରକୁ ଲକ୍ଷ୍ମୀ ଆସିଲା ବୋଲି କହି ଘର ଲୋକ ବେଶ ଖୁସି ହୁଅନ୍ତି । କିନ୍ତୁ ଘରର ଲକ୍ଷ୍ମୀ ଯଦି ଅବେଳାରେ ଅଫେରା ରାଇଜକୁ ଚାଲିଯାଏ ତେବେ ଘରକୁ ଆସେ ଦୁଃଖର କଳା ବାଦଲ । ଏଭଳି ଦୁଖଃଦ ଘଟଣା ସମସ୍ତଙ୍କୁ ହୃଦୟକୁ ଥରାଇ ଦେଇଛି । କାରଣ ପ୍ରେମିକର ବ୍ଲାକ ମେଲିଙ୍ଗ ଶିକାର ହୋଇ ଜୀବନ ହାରିଛି ପ୍ରେମିକା । ଝିଅକୁ ଉଚ୍ଚ ଶିକ୍ଷିତା କରି ଚାକିରି କରାଇବା ଲକ୍ଷ ରଖିଥିବା ବାପା ମା ଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି ।

ସୂଚନା ଅନୁସାରେ ଉକ୍ତ ଯୁବକ ଯୁବତୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରେମିକାର ଅନ୍ତରଙ୍ଗ ଫଟୋ ଓ ଭିଡ଼ିଓ କୁ ମୋବାଇଲରେ ରଖିଥିଲା ପ୍ରେମିକ । ଆଉ କୌଣସି କାରଣ ରୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ହେବା ପରେ ପ୍ରେମିକ ଦେଖାଇଥିଲା ନିଜ ଅସଲ ରୂପ । ବାରମ୍ବାର ଫଟୋ ଓ ଭିଡିଓକୁ ନେଇ ବିଭିନ୍ନ ସମୟରେ ପ୍ରେମିକା କୁ ଧମକ ଦେଉଥିଲା । ଉକ୍ତ ଅଶ୍ଳୀଳ ଭିଡ଼ିଓ କୁ ଭାଇରାଲ କରିବ ବୋଲି ପ୍ରେମିକ ବାରମ୍ବାର କହୁଥିଲା । ଶେଷରେ ପରିବାର ଓ ସମାଜକୁ ଡରି ପ୍ରେମିକା ନେଇଥିଲେ ଚରମ ନିଷ୍ପତି।

ସମ୍ପୃକ୍ତ ଘଟଣା ପରେ ମୃତ ଝିଅର ମା’ ଥାନାରେ ଅଭିଯୋଗ କରିଛନ୍ତି । ପ୍ରେମିକକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଝିଅର ମା’ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ । ଝିଅ ମାନେ ବିଶ୍ୱାସ କରି ନିଜ ପ୍ରେମିକ ମାନଙ୍କ ସହ ଏପରି ଅନ୍ତରଙ୍ଗ ଫଟୋ ଓ ଭିଡିଓ ସେୟାର କରିବା କେତେ ଯେ ବିପଜ୍ଜନକ ତାହା ଏଭଳି ଘଟଣାରୁ ସ୍ପଷ୍ଟ ହେଉଛି । ନିଜେ ସତର୍କ ରହିଲେ ହୁଏତ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.