ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର(କେନ୍ୟୁଜ୍): ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଏକ ଡିପ୍ରେସନ୍‌ରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ ଅବପାତ୍‌ । ୨୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାଇକ୍ଲୋନ୍‌ ସୃଷ୍ଟି ହେବ । ତେବେ ଏହାର ତୀବ୍ରତା ଓ ଗତିପଥ ନେଇ କୌଣସି ସୂଚନା ଦେଇନି ଆଇଏମଡି ।

ପାଣିପାଗ ବିଜ୍ଞାନୀଙ୍କ ମତରେ, ଓଡ଼ିଶା ଓ ପଶ୍ଚିମବଙ୍ଗ କୋଷ୍ଟ ଲାଇନରେ ଯାଇପାରେ ବାତ୍ୟା । ସାଇକ୍ଲୋନିକ ଷ୍ଟର୍ମ ହୋଇ ରହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳବତ୍ତର୍ରୀ ଜିଲ୍ଲାରେ ହେବ ବର୍ଷା । ୨୩ ତାରିଖ ସକାଳ ପରେ ହାଲୁକା ବର୍ଷା ହୋଇପାରେ । ପୁରୀରୁ ବାଲେଶ୍ୱର ଯାଏ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ । କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ ।

ସ୍ଥଳଭାଗ ଛୁଇଁବା ବେଳକୁ ଅବପାତ ପ୍ରଭାବରେ ୨୨ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୪ରୁ ୫୫ ଓ ସ୍ଥଳ ବିଶେଷରେ ୬୫ କିଲୋମିଟର ପବନ ବହିପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

୨୩ ତାରିଖରୁ ଓଡ଼ିଶା ଉପକୂଳର ଆଖପାଖ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ୨୨ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ପାଇଁ ସତର୍କ କରିଛି ପାଣିପାଗ ବିଭାଗ । ୨୩ ତାରିଖ ପରଠୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହୋଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି

ଏପଟେ ବିଭିନ୍ନ ବିଭାଗ ମୁକାବିଲା ପାଇଁ ପ୍ରସ୍ତୁତ । ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରଣନୀତି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ଷ୍ଟେଟ୍‌ ରାପିଡ୍‌ ରେସପନ୍ସ ଟିମ୍‌ ପ୍ରସ୍ତୁତ ରଖାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ହେବ ।

ଏସଆରସି, ଓସଡମା ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସହ ସମନ୍ଵୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ସବ୍‌ ଡିଭିଜନ୍‌ସ୍ତରରେ ପ୍ରସ୍ତୁତି କରାଯିବ ସହ ଆବଶ୍ୟକ ସାମଗ୍ରୀ ଯୋଗାଣ ହେବ । ଆବଶ୍ୟକ ହେଲେ ଅତିରିକ୍ତ ମାନବ ସମ୍ବଳ ନିଯୁକ୍ତ ହେବେ । ଜିଲ୍ଲା ଓ ବ୍ଲକସ୍ତରରେ ରାପିଡ୍‌ ରେସପନ୍ସ ଟିମ୍‌ ମୁତୟନ ହେବେ ।

ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବା ଜରୁରୀ । ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଜରୁରିକାଳୀନ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ରଖାଯିବ । ପାନୀୟ ଜଳ ବିଶୋଧନ ପାଇଁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.