କୋଭିଡ ସମୟରେ ସ୍କୁଲରେ ବଣ୍ଟାଯାଉଛି ପୋକରା ଚାଉଳ, ଟେଣ୍ଡର ନେଇଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ

ନବରଙ୍ଗପୁର : କୋଭିଡ ସମୟରେ ସ୍କୁଲରେ ବଣ୍ଟାଯାଉଛି ପୋକରା ଚାଉଳ। ଟେଣ୍ଡର ନେଇଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ । ଚାଉଳ ଟେଣ୍ଡର ନେଇଥିବା ବ୍ୟବସାୟୀ ମାନେ ମାଲାମାଲ ହେଉଛନ୍ତି କିନ୍ତୁ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ଚାଉଳ ମିଳୁଛି ବୋଲି ଅଭିଯୋଗ ହେଉଛି । କୋରନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗି ଥିବାରୁ ସ୍କୁଲ ଖୋଲିବା ସମ୍ଭବପର ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୭ରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଜୁନ୍‌ ୧୪ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ୫୭ ଦିନର ମଧ୍ୟାହ୍ନଭୋଜନ ଚାଉଳ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକମାନେ ସ୍କୁଲ ପଏଣ୍ଟରେ ବଣ୍ଟନ କରିଲେ। କିନ୍ତୁ ଦୁଃଖର ବିଷୟ ନବରଙ୍ଗପୁର ବ୍ଲକ ଭିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ୨୭ ତାରିଖ ଦିନ ପିଲା ମାନଙ୍କ ଅଭିଭାବକ ମାନଙ୍କୁ ପୋକରା ଚାଉଳ ଦିଆ ଯାଇଥିଲା । ଏଭଳି ଚାଉଳ କଣ ପାଇଁ ଦିଆଯାଉଛି ବୋଲି ପ୍ରତିବାଦ କରିବାରୁ ଶିକ୍ଷକ ମାନେ କହିଲେ ସରକାରଙ୍କ ତରଫରୁ ଯେଉଁ ଭଳି ଚାଉଳ ଆସୁଛି ଆମେ ତାହା ଦେଉଛୁ। ଆପଣ ମାନେ ଯାହା କହିବାର ଅଛି ସରକାରଙ୍କୁ କୁହନ୍ତୁ। ତେବେ ଏହା କେବଳ ଗୋଟିଏ ସ୍କୁଲର ସମସ୍ୟା ନୁହଁ ସମ୍ପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାର ସମସ୍ୟା କହିଲେ ଚଳେ । ଚାଉଳ ଟେଣ୍ଡର ନେଇଥିବା ବ୍ୟବସାୟୀ ମାନେ ନିଜର ଫାଇଦା ପାଇଁ ଏଭଳି ନିମ୍ନ ମାନର ଚାଉଳ ଯୋଗାଉଛନ୍ତି ଏବଂ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.