ଏଲେମା ଠାକୁରାଣୀଙ୍କ ପ୍ରସିଦ୍ଧ ଝାମୀ ଯାତ୍ରା
ଚଳିତ ବର୍ଷ ଖୁବ ଧୂମଧାମରେ ପାଳିତ ହେଉଛି ମାଆ ଏଲେମା ଠାକୁରାଣୀଙ୍କ ପ୍ରସିଦ୍ଧ ଝାମୀ ଯାତ୍ରା, ଦର୍ଶନ ପାଇଁ ରାଜ୍ୟ ବାହାରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ ଏଲେମା ଠାକୁରାଣୀଙ୍କ ବାର୍ଷିକ ଝାମି ଯାତ୍ରା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।ଏହି ଯାତ୍ରା ସମୟରେ ମାଁଙ୍କ ଦର୍ଶନ କଲେ ପରିବାର ସଦସ୍ଯଙ୍କ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ ରହିଛି । ଯାତ୍ରା ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ବ୍ଯବସ୍ଥା ଗ୍ରହଣ କରାଯାଇଛି ।
୧୮୬୯ ମସିହାରୁ ବ୍ରହ୍ମପୁର ସହରର ମାଁ ଏଲେମା ଠାକୁରାଣୀଙ୍କ ବାର୍ଷିକ ଝାମୀ ଯାତ୍ରା ପାଳିତ ହୋଇ ଆସୁଛି । ଚଳିତ ଥର ମଧ୍ୟ ନିଳକଣ୍ଠେଶ୍ୱର ମନ୍ଦିର ନିକଟ ଝାମି ପଡିଆରେ ଏହି ବାର୍ଷିକ ଝାମୀ ଯାତ୍ରା ଆରମ୍ଭ ହୋଇଛି । ଝାମୀ ମନ୍ଦିରରେ ନୀତିକ୍ରାନ୍ତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ମାଁଙ୍କ ଏହି ଯାତ୍ରା ସମୟରେ ମୁଆଁଫିଙ୍ଗା, ବାଳକଟା, ଅଗ୍ନୀପୂଜା, ମନ୍ଦିର ବେଢା ପରିକ୍ରମା, ଶ୍ମସାନ ପୂଜା, କାଳିସି ନୃତ୍ୟ ଆଦି ଅନୁଷ୍ଠିତ ହୋଇଥାଏ ।
ଏଲେମା ଠାକୁରାଣୀଙ୍କୁ ଏହି ଯାତ୍ରା ସମୟରେ ଦର୍ଶନ ତଥା ପୂଜାର୍ଚ୍ଚନା କଲେ ମାଁ ମନସ୍କାମନା ପୂର୍ଣ୍ଣ କରିବା ସହ ପରିବାର ସଦସ୍ଯଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାନ୍ତି ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ୱାସ । ମାଁ ଏଲମା ଠାକୁରାଣୀଙ୍କ ମନ୍ଦିର ଦେଶର ୩ଟି ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ, ବେଙ୍ଗଲୁରୁ ଓ ଓଡିଶାର ବ୍ରହ୍ମପୁର ଠାରେ ପୂଜା ପାଉଛନ୍ତି ମାଁ ଏଲମା ଠାକୁରାଣୀ। ମାଁଙ୍କ ଏହି ବାର୍ଷିକ ଝାମୀ ଯାତ୍ରା ଶହ ଶହ ବର୍ଷ ପୁରୁଣା । ପ୍ରତିବର୍ଷ ଫଗୁଣ ନବମୀରୁ ପୂର୍ଣ୍ଣିମା ପର୍ଯ୍ଯନ୍ତ ୭ଦିନ ବ୍ଯାପୀ ମହାଆଡମ୍ବରେ ଏହି ଯାତ୍ରା ପାଳନ ହୋଇଥାଏ । ଶୀତଳୀ କାର୍ଯ୍ଯକ୍ରମ ପରେ ମାଁଙ୍କ ଯାତ୍ରା ଉଦଯାପିତ ହୋଇଥାଏ ବୋଲି ପୂଜକ ପ୍ରକାଶ କରିଛନ୍ତି ।
ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଧୁମଧାମରେ ଆରମ୍ଭ ହୋଇଛି ଏଲେମା ଠାକୁରାଣୀଙ୍କ ବାର୍ଷିକ ଝାମିଯାତ୍ରା । ତେଲୁଗୁ ସଂପ୍ରଦାୟର ଆରଧ୍ୟ ଦେବୀ ମାଁ ଏଲମା ଠାକୁରାଣୀଙ୍କ ଝାମୀ ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲା ଏପରିକି ପଡୋଶୀ ଆନ୍ଧ୍ରରୁ ମଧ୍ୟ ହଜାର ହଜାର ସଂଖ୍ଯାରେ ଭକ୍ତ ସାମିଲ ହୋଇଛନ୍ତି । ମାନସିକଧାରୀମାନେ ପିଲାମାନଙ୍କୁ ମୁଣ୍ଡନ କରିବା ପରମ୍ପରା ଏଠାରେ ଦେଖିବାକୁ ମିଳେ । ମାଁଙ୍କ ଉପରକୁ ମୁଆଁଫିଙ୍ଗି ହଳଦି ଓ ଲିମ୍ବପତ୍ର ମିଶ୍ରିତ ଲେପକୁ ନେଇ ଲେପନ କଲେ ବିଭିନ୍ନ ଚର୍ମରୋଗରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ମନସ୍କାମନା ପୂର୍ଣ୍ଣ ହେଲେ ଭକ୍ତମାନେ ବା ମାନସିକଧାରୀ ମାନେ ପରବର୍ଷ ଯାତ୍ରାକୁ ପୁଣି ଆସି ମାଁଙ୍କ ଦର୍ଶନ କରି ସ୍ମଶାନରେ ରନ୍ଧାବଢା କରି ମାଁଙ୍କୁ ଭୋଗଲାଗି କରିଥାନ୍ତି । ଯାହା ଏହି ଯାତ୍ରାର ଆଉ ଏକ ନିଆରା ପରମ୍ପରା । ଭକ୍ତିର ସହ ମାଁଙ୍କୁ ପୂଜାର୍ଚ୍ଚନା କଲେ ମାଁ ସମସ୍ତ ମନସ୍କମାନା ପୂର୍ଣ୍ଣ କରିଥାନ୍ତି ବୋଲି ଭକ୍ତମାନେ ମତ ଦିଅନ୍ତି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଝାମୀ ଯାତ୍ରାର ସୁପରିଚାଳନା ପାଇଁ ଯାତ୍ରା କମିଟି ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି । ଏହି ପ୍ରସିଦ୍ଧ ତଥା ନିଆରା ଯାତ୍ରା ଆଗାମୀ ଦୋଳପୁର୍ଣ୍ଣିମା ଦିନ ଉଦଯାପିତ ହେବ ।