Below header

ଓଡ଼ିଶା ଛତିଶଗଡ଼ ମହାନଦୀ ବିବାଦ, ଆସନ୍ତା ୧୩ ତାରିଖରେ ଟ୍ରିବ୍ୟୁନାଲରେ ପ୍ରଥମ ଶୁଣାଣି

ଭୁବନେଶ୍ବର (କେନ୍ଯୁଜ୍) : ମହାନଦୀ ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଆସନ୍ତା ୧୩ ତାରିଖରେ ପ୍ରଥମ ଶୁଣାଣି କରିବେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଶୁଣାଣୀ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ପୂର୍ବରୁ ରାଜ୍ୟ ସରକାର ଏକ ୫ ସଦସ୍ୟ ବିଶିଷ୍ଟ ଲିଗାଲ ଟିମ୍‌ ଗଠନ କରିଥିଲେ ।  ସେମାନେ ହେଲେ ମୋହନ ବି ଚାଟ୍ଟାର୍ଜୀ, ମହେଶ ଅଗ୍ରୱାଲ, ରାଧେଶ୍ୟାମ ଜେନା, ଡ. ଅନିନ୍ଦିତା ପୂଜାରୀ ଏବଂ ରଣବୀର ସିଂ। ଟିମ୍‌ରେ ସାମିଲ ସଦସ୍ୟଙ୍କର ଆନ୍ତଃ ଜଳ ବିବାଦ ମାମଲାରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ନିଜ ପକ୍ଷକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବିଶେଷଜ୍ଞଙ୍କ ଠାରୁ ମତାମତ ଲୋଡିଛନ୍ତି ।

ବିଶେଷକରି କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଆଇଆଇଟି ରୁର୍‌କିରେ ଥିବା ନାସନାଲ  ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲୋଜିର ଏକ୍ସପର୍ଟଙ୍କ ମଧ୍ୟ ମତ ନିଆଯାଇଛି । ଆସନ୍ତା ୧୩ ତାରିଖରେ ହେବାକୁ ଥିବା ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣି ବେଳେ ରାଜ୍ୟ ସରକାର କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେଇ ତଥ୍ୟ ଓ ଦାବି ଉପସ୍ଥାପନ କରିବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ତିନିଜଣିଆ ବିଚାରପତିଙ୍କୁ ନେଇ ଗଠିତ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ୍‌.ଖାନୱିଲକର । ଅନ୍ୟ ଦୁଇ ସଦସ୍ୟ ହେଲେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରମିତ୍‌ କୌର କୋଚର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.