ମହାତ୍ମା ଗାନ୍ଧୀଙ୍କ କଟକ ଆଗମନକୁ ପୂରିଲା ଶହେ ବର୍ଷ, ଆଜିର ଦିନରେ କଟକ ଆସିଥିଲେ ବାପୁଜୀ

କଟକ (କେନ୍ୟୁଜ୍‌) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ଆଗମନକୁ ଶହେ ବର୍ଷ। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ। କଟକରେ ପଦଯାତ୍ରା କରିବା ସହ ପୁରୀଘାଟ କାଠଯୋଡ଼ି ନଦୀପଠାରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରିଥିଲେ ମହାତ୍ମା ଗାନ୍ଧୀ। ବ୍ରୋଞ୍ଜ ତିଆରି କାରୁକାର‌୍ୟ୍ୟରେ ଝଲସୁଛି ସେହି ପୁରୁଣା ସ୍ମୃତି । ବାଲି ଉପରେ ପଡିଛି ଖଟ, ଖଟ ଉପରେ ଚୌକି । ଆଉ ଚୌକି ଉପରେ ବସିଛନ୍ତି ଜାତିର ଜନକ। ମହାତ୍ମା ଗାନ୍ଧୀଙ୍କ ଆଗମନକୁ ଶହେବର୍ଷ ପୂରଣ ହେଉଥିବାରୁ କଟକ ଷ୍ଟେସନରୁ ବିରାଟ ପଦଯାତ୍ରା ସହ ପ୍ରଜ୍ଞାପନ ମେଢ ବାହାରିଛି।

ସେପଟେ କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି । ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ନଦୀ ପଠା ସଭାରେ ବିଛା ଯାଇଥିବା ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ୭ଦିନ ଚାଲିବ। ଜନସାଧାରଣ ଓ ଛାତ୍ର ଛାତ୍ରୀ ସକାଳ ୧୦ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ବୁଲିପାରିବେ। ମହାତ୍ମା ଗାନ୍ଧୀ କଟକ ଗସ୍ତ ବେଳେ ସ୍ୱରାଜ ଆଶ୍ରମରେ ରାତ୍ରିଯାପନ କରିଥିଲେ। ଏଥିପାଇଁ ଶତବାର୍ଷିକୀ ଅବସରରେ ସଂସ୍କୃତି ମନ୍ତ୍ରୀ ଡାକ ଟିକେଟ ଉନ୍ମୋଚନ କରିବାର କାର‌୍ୟ୍ୟକ୍ରମ ରହିଛି।

ଏହି ଅବସରରେ ଆଜି ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା । ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବିଧାନସଭାରେ ମହାତ୍ମା ଗାନ୍ଧିଙ୍କ ଉପରେ ସ୍ୱତନ୍ତ୍ର ଆଲୋଚନା ହେବ । ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୃହରେ ସଙ୍କଳ୍ପ ପ୍ରସ୍ତାବ ଆଗତ କରିବା ପରେ ଆଲୋଚନା ହେବ । ମାନବଜାତି ପାଇଁ ମହାର୍ଘ୍ୟ ‘ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କଲେ ଏହା ମହାତ୍ମାଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ବୋଲି ସଙ୍କଳ୍ପ ଆଗତ ହେବ । ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ବାତିଲ କରାଯାଇଛି ।

ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଗାନ୍ଧିଙ୍କୁ ନେଇ ଏକ ସଙ୍କଳ୍ପ ଆଗତ କରିବା କାର୍ଯ୍ୟକ୍ରମ ରହିଛି । ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ୮ଥର ଓଡ଼ିଶା ଗସ୍ତରେ ଆସିଥିଲେ । ପ୍ରଥମଥର ପାଇଁ ସେ ୧୯୨୧, ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ । କଟକ କାଠଯୋଡି ନଦୀପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଷଳ । ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବା ଉପଲକ୍ଷେ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.