ପିଲା ଚୋରି ଅଭିଯୋଗରେ ଯୁବକକୁ ବାନ୍ଧି ନିର୍ଘାତ ଛେଚିଲେ ଗ୍ରାମବାସୀ

କଣ୍ଟାମାଳ(କେନ୍ୟୁଜ୍‌): ପିଲା ଚୋରି, ଅପହରଣ ସାଧାରଣତଃ ରାସ୍ତାଘାଟରୁ ହୋଇଥାଏ ଓ ତାହା ସହଜ ମଧ୍ୟ। କିନ୍ତୁ ମଧ୍ୟରାତ୍ରରେ ଘରକୁ ପଶି ପିଲା ଚୋରି କରିବାବେଳେ ଧରାପଡିବା ଭଳି ଏକ ଅଭାବନୀୟ ଘଟଣା ବୋଧେ ନୂଆ। ଏପରି ଘଟଣା ଘଟିଛି ମନମୁଣ୍ଡା ଥାନା କସୁରବନ୍ଧ ପଂଚାୟତ ନୂଆଁପାଲି ଗ୍ରାମର ଭାଗିରଥି କର୍ଣ୍ଣଙ୍କ ଘରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ର ପ୍ରାୟ ୧ଟା ସମୟରେ ଭାଗିରଥି କର୍ଣ୍ଣଙ୍କ ପୁଅ (୪ବର୍ଷ) କାନ୍ଦିବାର ଶୁଣି ଭାଗିରଥି ଓ ପରିବାରର ଅନ୍ୟମାନେ ନିଦରୁ ଉଠିପଡିଥିଲେ ଏବଂ ସେତିକିବେଳେ ଜଣେ ଯୁବକ  ଛୋଟ ପିଲାକୁ ଟେକି ନେଇଯାଉଥିବା ଦେଖି ତାକୁ ଧରି ପକାଇଥିଲେ।

ପାଟିତୁଣ୍ଡ ଶୁଣି ଗ୍ରାମ ଲୋକେ ଧାଇଁ ଆସିଥିଲେ। ହୋହଲ୍କା ଯୋଗୁଁ  ଗାଁ ଲୋକମାନେ ରୁଣ୍ଡ ହୋଇ ଉକ୍ତ ଯୁବକକୁ ନିର୍ଧୁମ ମାଡ଼ ଦେବା ସହ ବାନ୍ଧି ପକାଇଥିଲେ। ଉକ୍ତ ଯୁବକ ଏକ ସ୍କୁଟି  ଯୋଗେ ଆସିଥିଲା । ଗାଡିଟିକୁ ଗ୍ରାମବାସୀ ଜବତ କରି ରଖିଛନ୍ତି। ଯୁବକର ପରିଚୟ ମାଗିବାରୁ ଜଣାପଡିଛି ସେ ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ଥାନା ସୁବଲୟା ଗ୍ରାମର ଓ ତା’ ନାମ ଶିବଶଙ୍କର ଦାସ । ଘଟଣା ର କିଛି ସମୟ ପରେ ଉକ୍ତ ଯୁବକର ମାଁ ଏବଂ ଆଉ ଜଣେ ବ୍ୟକ୍ତି  ଅନ୍ୟ ଏକ ସ୍କୁଟିରେ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଏନେଇ ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପିଲା ଚୋର ଶିବଶଙ୍କର ଏବଂ ତା’ ସ୍କୁଟିକୁ ପୋଲିସ ଜବତ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.