୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍‌ କଲା ହ୍ୱାଟସଆପ୍‌, ଜାଣନ୍ତୁ କଣ ରହିଥିଲା କାରଣ

ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍। ଏନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ମାର୍ଚ୍ଚରେ ଏହି ପ୍ଲାଟଫର୍ମ ଦେଶରେ ୧୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ସର୍ବଶେଷରେ, କମ୍ପାନୀ ଏତେ ସଂଖ୍ୟକ ହ୍ୱାଟ୍ସଆପ୍ ଆକାଉଣ୍ଟକୁ କାହିଁକି ବାରଣ କଲା? ଆସନ୍ତୁ ଜାଣିବା ।

IT ନିୟମ ଅନୁସାରେ, ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇଛି ବୋଲି ହ୍ୱାଟ୍ସଆପ୍ ସୂଚନା ଦେଇଛି। ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲା ବି ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ଏହି ପ୍ରସଙ୍ଗରେ ହ୍ୱାଟସଆପ୍‌ର ଜଣେ ମୁଖପାତ୍ର କହିଛନ୍ତି, “ହ୍ୱାଟସଆପ୍‌ ଏମିତି ଏକ କମ୍ପାନୀ ଯିଏ ସବୁବେଳେ ଖରାପ ଓ ଦୁର୍ବ୍ୟବହାରକୁ ରୋକିବାକୁ ଚେଷ୍ଟା କରି ଆସିଛି। ମେସେଜିଂ ଆପ୍‌ର ଅପବ୍ୟବହାରକୁ ରୋକିବା ପାଇଁ ବର୍ଷବର୍ଷ ଧରି କମ୍ପାନୀ ବିଭିନ୍ନ ପ୍ରକାରର ଟେକ୍ନୋଲଜି ଓ ଆର୍ଟିଫେସିଆଲ ଗୁଇନ୍ଦା ବ୍ୟବସ୍ଥା ଲାଗୁ କରିଛି।

ଆମ ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ପାଇଁ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ତଥ୍ୟ ବୈଜ୍ଞାନିକ ରହିଛନ୍ତି। ଭାରତ ସରକାରଙ୍କ ଆଇଟି ଆକ୍ଟ ୨୦୨୧ ଅନୁଯାୟୀ ଆମେ ଏପ୍ରିଲ ମାସର ରିପୋର୍ଟ କାର୍ଡ ସାର୍ବଜନୀନ କରିଛୁ। ଏହି ରିପୋର୍ଟରେ ହ୍ୱାଟସଆପ୍‌ ବ୍ୟବହାରକାରୀଙ୍କ ଅଭିଯୋଗ ଓ ଆମେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି। ଗାଇଡଲାଇନ ଉଲ୍ଲଙ୍ଘନ ଘଟଣାରେ କମ୍ପାନୀ ଏପ୍ରିଲ ମାସରେ ୧୬,୬୬,୦୦୦ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି।”

ସୂଚନା ଥାଉକି ସୋସିଆଲ୍ ମିଡିଆରେ ହେଉଥିବା ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇଟି ରୁଲ୍ସ ୨୦୨୧ ଆଣିଥିଲେ। ଏହି ଆଇନ ଅନୁସାରେ ଯେଉଁ ସୋସିଆଲ୍ ମିଡିଆ କମ୍ପାନୀର ଭାରତରେ ୫ ମିଲିୟନରୁ ଅଧିକ ବ୍ୟବହାରକାରୀ ଥିବା ସେମାନଙ୍କୁ ମାସିକିଆ ଅଭିଯୋଗର ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.