ରାଗରେ ପ୍ରେମିକା ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁଲେ, ପଛେ ପଛେ ପ୍ରେମିକ ବି ଡେଇଁ ପଡ଼ିଲେ

କରଞ୍ଜିଆ (କେନ୍ୟୁଜ୍): ଏବେ ସମୟ ଓ ପରିସ୍ଥିତି ଏମିତି କି କାହା ପାଖରେ ଯେମିତି ଧୈର୍ଯ୍ୟ ଧରିବାକୁ ସମୟ ନାହିଁ । କୌଣସି କଥା ବୁଝିବାକୁ ବି ପ୍ରସ୍ତୁତ ନୁହନ୍ତି । ଆଉ ସେହି କାରଣ ଅନେକ ବଡ଼ ବଡ଼ ଘଟଣାକୁ ଜନ୍ମ ଦେଉଛି । ଏମିତି ଝଗଡ଼ା ପରେ ଜଣେ ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟକୁ ବଞ୍ଚିଗଲେ । ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରୁ ।

ରରୁଆଁ ବ୍ଲକରେ କାର୍ଯ୍ୟରତ ଜୈନେକ କର୍ମଚାରୀଙ୍କ ପ୍ରେମିକା ଭୁବନେଶ୍ୱର ଅଞ୍ଚଳରୁ ରରୁଆଁକୁ ଦେଖା କରିବା ପାଇଁ ଆସିଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଭୀଷଣ ଝଗଡା ହୋଇଥିଲା । ଏହି ସମୟରେ ପ୍ରେମିକା ଜଣଙ୍କ ଖୁବ୍‌ ରାଗି ଯାଇ ରରୁଆଁ ବଜାର ଠାରୁ ୨ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସି ଖଈରୀଭଣ୍ଡନ ପୋଲ ପାଖରେ ପହଞ୍ଚି ଥିଲେ । ଆଉ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଠିକ୍‌ ସେହି ସମୟରେ ପ୍ରେମିକ ମଧ୍ୟ ପୋଲ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ଆଉ ପ୍ରେମିକାର ଜୀବନ ବଞ୍ଚାଇ ଦେଇଥିଲେ ।

ଏପଟେ ଏହି ଘଟଣାର କେହି ଜଣେ ଭିଡିଓ କରି ଦେଇଥିଲେ । ସେହି ୧୯ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ସମ୍ପର୍କରେ ରରୁଆଁ ବ୍ଲକରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ । ହେଲେ ସେ ଏ ନେଇ କିଛି କହିବାକୁ ମନା କରି ଦେଇଥିଲେ । ଏ ଘଟଣା ଗତ ୧୬ ତାରିଖ ଦିନ ଘଟିଥିଲା । ଅବଶ୍ୟ କାହିଁକି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ କଣ ପାଇଁ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣା ପଡିନାହିଁ । ଏମିତିକି ଏ ସମ୍ପର୍କରେ ପୋଲିସରେ ମଧ୍ୟ କୌଣସି ରିପୋର୍ଟ ହୋଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.