Below header

ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟାକାଣ୍ଡ: ଭାଇ ବୋହୂକୁ ଜୀବନରୁ ମାରିଦେଲା ସମ୍ପର୍କୀୟ ଦେଢଶୁର

ଯୋଡ଼ା(କେନ୍ଯୁଜ୍) : ଯୋଡ଼ା ଥାନା, କୋହ୍ଲ ହୁଣ୍ଡୁଳାରେ ଅଭାବନୀୟ ଘଟଣା । ଭାଇ ବୋହୂକୁ ହତ୍ୟା କଲା ସମ୍ପର୍କୀୟ ଦେଢଶୁର । ମୃତକ ହେଉଛନ୍ତି ବିଶିକେଶନ ମୁଣ୍ଡାଙ୍କ ପତ୍ନୀ ଶ୍ରୀଦେବୀ ମୁଣ୍ଡା । ଘଟଣା ପରେ ଅଭିଯୁକ୍ତ ସମ୍ପର୍କୀୟ ଦେଢଶୁର ରଞ୍ଜିତ ମୁଣ୍ଡାକୁ ଯୋଡ଼ା ପୋଲିସ୍‌ ଗିରଫ୍‌ କରି ଅଧିକ ପଚରାଉଚରା ଚଳାଇଛି । ଗୁଣି ଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଜାଣିବାକୁ ପାଇଛି ।

ସୂଚନା ଅନୁଯାୟୀ, କେଇ ବର୍ଷ ହେବ ବିଶିକେଶନ ଓ ରଞ୍ଜିତଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ବିଭିନ୍ନ ସମୟରେ କଳି ଝଗଡ଼ା ମଧ୍ୟ ହେଉଥିଲା । ରଞ୍ଜିତ ବିଭିନ୍ନ ସମୟରେ ଅସୁସ୍ଥ ରହୁଥିବା ବେଳେ, ସମ୍ପର୍କୀୟ ଭାଇ ବୋହୂ ଶ୍ରୀଦେବୀ ଗୁଣି ଗାରେଡ଼ି କରିବା କାରଣରୁ ସେ ଅସୁସ୍ଥ ରହୁଥିବା ସନ୍ଦେହ କରିଆସୁଥିଲେ । ତେବେ ଗତ ଶନିବାର ସକାଳ ପ୍ରାୟ ୯ଟା ସମୟରେ ଅନ୍ଯମାନଙ୍କ ସହ ଶ୍ରୀଦେବୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ, ଦେଢଶୁର ରଞ୍ଜିତ ମୁଣ୍ଡା ହଠାତ୍ ପଛପଟୁ ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।

ଶ୍ରୀଦେବୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ଯ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଯୋଡ଼ା ପୋଲିସ୍‌ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.