ଚର୍ଚ୍ଚାରେ ରମେଶ, ୭୬ ବର୍ଷ ବୟସରେ ପାସ କଲେ MA

ସୁବର୍ଣ୍ଣପୁର (କେନ୍ୟୁଜ) : ୭୬ ବର୍ଷ ବୟସରେ ଏମଏ ପାସ କରିଛନ୍ତି। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ । ସବୁ କାମରେ ବୟସ ଯେ ପ୍ରତିବନ୍ଧକ ନୁହେଁ ତାହା ପ୍ରମାଣ କରିଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ରମେଶ ପ୍ରସାଦ ନାୟକ ।

ସୋନପୁର ସହର ଶାନ୍ତିନଗର ପଡାରେ ରହୁଥିବା ରମେଶ ପ୍ରସାଦ ନାୟକ ୩୨ ବର୍ଷ ଗୋଟିଏ ହାଇସ୍କୁଲରେ ଶିକ୍ଷକତା ପରେ ୨୦୦୨ ମସିହାରୁ ଅବସର ନେଇସାରିଛନ୍ତି। ହେଲେ ପଢିବା ଏବଂ ପଢାଇବାର ନିଶା ତାଙ୍କର ଏବେବି ଯାଇନାହିଁ । ଅବସର ପରଠାରୁ ସେ ଅନବରତ ଭାବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଛନ୍ତି । ଏହାସହ ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ସହ ଜଡିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି । ହେଲେ ଏହାରି ଭିତରେ ପାଠ ପଢିବାକୁ ସେ ଜମାରୁ ଭୁଲି ନହାଁନ୍ତି ।

ଓଡିଆ ସାହିତ୍ୟ ପ୍ରତି ତାଙ୍କ ରହିଥିବା ପ୍ରବଳ ରୁଚି ଯୋଗୁଁ ସେ ଓଡିଆରେ ସ୍ନାତକୋତର କରିବାକୁ ମନସ୍ତ କରିଥିଲେ । ଆଉ ଏବେ ତାହା ସମ୍ଭବ ହୋଇଛି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗତ ଦୁଇଦିନ ତଳେ ପ୍ରକାଶିତ ସ୍ନାତକୋତର ପରୀକ୍ଷା ଫଳରେ ସେ ପାସ କରିଥିବା ଜଣାପଡିଛି । ୭୬ ବର୍ଷ ବୟଷରେ ତାଙ୍କର ଏହି ସଫଳତା ପାଇଁ ଏବେ ପରିବାର ଲୋକ ବେଶ ଖୁସି । ଏହି ଅବସରରେ ରମେଶ ତାଙ୍କର ଖୁସି ବ୍ୟକ୍ତ କରିବା ସହ ଜ୍ଞାନ ଆହରଣ ପାଇଁ ଯୁବ ପିଢି ପାଠପଢା ପ୍ରତି ରୁଚି ରଖିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.