Below header

ପଞ୍ଚଭୂତରେ ବିଲୀନ ହେଲେ ସାରସ୍ୱତ ସାଧକ, ପୁଡୁଚେରୀର ମୁଥିଆଲପେଟ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ, ବିଶିଷ୍ଟ କଥାକାର, ବାଗ୍ମୀ ମନୋଜ ଦାସଙ୍କ ଶେଷକୃତ୍ୟ ପୁଡୁଚେରୀ ମୁଥିଆଲପେଟ୍‌ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଗତକାଲି ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୩୪ ମସିହା ଫେବୃଆରି ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇର ଶଙ୍ଖାରୀ ଗାଁରେ ଭୁମିଷ୍ଟ ହୋଇଥିଲେ ମନୋଜ। ମାତ୍ର ୧୫ ବର୍ଷ ବୟସରେ ଶତାବ୍ଦୀର ଆର୍ତ୍ତନାଦ ପୁସ୍ତକରୁ ସାରସ୍ୱତ ଯାତ୍ରାର ହୋଇଥିଲା ଅୟମାରମ୍ଭ। ବାଲେଶ୍ୱର ଜିଲ୍ଲା ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ପରବର୍ତ୍ତୀ ସମୟରେ କଟକ ଖ୍ରୀଷ୍ଟ କଲେଜରେ ଇଂରାଜୀ ସାହିତ୍ୟରେ ଅଧ୍ୟାପକ ଭାବେ ଯୋଗ ଦିଅନ୍ତି। ୧୯୬୩ ମସିହାରେ ଶ୍ରୀଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ପୁଡୁଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ଜଣେ ସାଧକର ଜୀବନ ଅତିବାହିତ କରିଥିଲେ। ଶେଷ ସମୟ ପର୍ଯ୍ୟନ୍ତ ସାହିତ୍ୟ ସାଧନା ଓ ଗବେଷଣାରେ ମନୋନିବେଶ କରିଥିଲେ।

manoj dash 3

ସମୁଦ୍ରକୂଳର ଗାଁରେ ଜନ୍ମ ଗ୍ରହଣ କରିଥିବା ମନୋଜ ସମୁଦ୍ର ଭଳି ପ୍ରଜ୍ଞା ଓ ଗମ୍ଭୀର ବ୍ୟକ୍ତିତ୍ୱର ଥିଲେ ଅଧିକାରୀ। ସାରସ୍ୱତ ଜୀବନରେ ତାଙ୍କର ସମ୍ଭାର ଉଭୟ ଓ ଇଂରାଜୀ ଓ ଓଡ଼ିଆ ବାଣୀଭଣ୍ଡାରକୁ ଋଦ୍ଧିମନ୍ତ କରିଥିଲା। ପ୍ରଭଞ୍ଜନ, ଗୋଧୂଳିର ବାଘ, ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ ଓ ବହୁ ଇଂରାଜୀ ଉପନ୍ୟାସର ରଚୟିତା। ସେହିଭଳି ଉପକଥା ଶତକ, ଆବୁପୁରୁଷ, ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାର, ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ମନୋଜ ଦାସଙ୍କ କଥା ଓ କାହାଣୀ ତାଙ୍କର ଅନବଦ୍ୟ ସୃଷ୍ଟି। କେବଳ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ନୁହେଁ, ଭ୍ରମଣ କାହାଣୀ, କବିତା, ଓ ଇତିହାସ ଏବଂ ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକ କାଳଜୟୀ ହୋଇ ରହିଛି।… ସମୃଦ୍ଧ ଇଂରାଜୀ ପତ୍ରିକା ହେରିଟେଜ୍‌ର ସଂପାଦନା ସହ ଚନ୍ଦାମାମା ପବ୍ଲିକେଶନର ସଂପାଦନା ମଧ୍ୟ କରିଥିଲେ। କଥା ଓ କାହାଣୀର ଜଣେ ଅପୂର୍ବ କାରିଗର ଥିଲେ ମନୋଜ ଦାସ।

manoj dash

ସାହିତ୍ୟ ପାଇଁ ଅନେକ ସମ୍ମାନ ସ୍ୱୀକୃତ ଲାଭ କରିଥିଲେ। ଦୁଇଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ସାରଳା ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର ସହ ଅନନ୍ୟ ଉପନ୍ୟାସ ଅମୃତଫଳ ପାଇଁ ୨୦୦୦ ମସିହାରେ ଲାଭ କରିଥିଲେ ସରସ୍ୱତୀ ସମ୍ମାନ। ୨୦୦୧ରେ ଭାରତ ସରକାରଙ୍କ ପଦ୍ମଶ୍ରୀ ଓ ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।

ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ ଘଟିଛି। କିଶୋରଙ୍କ ଠାରୁ ତରୁଣ, ଯୁବକଙ୍କ ଠାରୁ ବୟସ୍କ ସେଥିଲେ ସବୁ ବର୍ଗର ହୃଦୟର କଥାକାର। ସମ୍ଭବତଃ ସେଥିଲେ ଓଡ଼ିଆ ସାହିତ୍ୟର ଏକମାତ୍ର ପ୍ରଜ୍ଞାପୁରୁଷ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.