ବ୍ରହ୍ମପୁରରେ ସମୂହ ବ୍ରତୋପନୟନ, ବ୍ରତ ହେଲେ ଶତାଧିକ ବ୍ରାହ୍ମଣ

ବ୍ରହ୍ମପୁର (କେନ୍ୟୁଜ୍) : ବେଦ ପ୍ରକାରେ ବ୍ରାହ୍ମଣମାନେ ବ୍ରତ ହେବା ବା ସଂସ୍କାର ହେବା ଜରୁରୀ । ତେବେ ଆର୍ଥିକ ଅନଟନ ଯୋଗୁଁ ଅନେକ ଗରିବ ବ୍ରାହ୍ମଣ ପରିବାରର ବାଳକମାନେ ବ୍ରତ ନହୋଇ ରହି ଯାଆନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ସହରର କିଛି ବଦାନ୍ୟ ବ୍ୟକ୍ତି ଗତ କିଛି ବର୍ଷ ହେଲା ଆର୍ଥିକ ସମ୍ବଳ ନଥିବା ବ୍ରାହ୍ମଣ ପରିବାରର ପିଲାମାମାନଙ୍କର ମାଗଣାରେ ସାମୂହିକ ବ୍ରତୋପନୟନ କରି ଆସୁଛନ୍ତି । ଏହି କ୍ରମରେ ଆଜି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୧୧୧ ଜଣ ବ୍ରାହ୍ମଣଙ୍କର ବ୍ରତୋପନୋୟନ କରାଯାଇଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ବହୁ ଗରିବ ବ୍ରାହ୍ମଣ ବ୍ରତ ହେବାର ସୁଯୋଗ ପାଇଛନ୍ତି ।

THREAD CEREMONY-2
ମନ୍ୟୁଷ ଥରେ କେବଳ ମା ଗର୍ଭରୁ ଜନ୍ମ ଲାଭ କରିଥାଏ ହେଲେ ବ୍ରାହ୍ମଣଙ୍କୁ ଦ୍ୱିଜ ବା ଦୁଇଥର ଜନ୍ମ ନେବାକୁ ପଡିଥାଏ । ମା ଗର୍ଭରୁ ଥରେ ଏବଂ ପରେ ବ୍ରତ ବେଳେ ପୁଣି ସଂସ୍କାର ହୋଇ ବୈଦିକ ରୀତିରେ ପୁନଃ ଜନ୍ମ ନେବାକୁ ପଡିଥାଏ । ବ୍ରାହ୍ମଣ ବେଦ ଉଚ୍ଚାରଣ କରୁଥିବାରୁ କେବଳ ବ୍ରାହ୍ମଣ ହିଁ ଦ୍ୱିଜ । ଏଣୁ ବ୍ରାହ୍ମଣ ମାନଙ୍କୁ ବ୍ରତ ବା ସଂସ୍କାର ହେବା ନିହାତି ଜରୁରୀ । ତେଣୁ ବ୍ରାହ୍ମଣ ପିଲାମାନଙ୍କୁ ବ୍ରତ କରି ସେମାନଙ୍କୁ ସହଯୋଗର ହାତ ବଢାଇବା ସହିତ ବ୍ରାହ୍ମଣ ସମାଜକୁ ସୁରକ୍ଷା ଦେବାକୁ ବ୍ରହ୍ମପୁରର କିଛି ବଦାନ୍ୟ ବ୍ୟକ୍ତି ଓ ଗଂଜାମ ଜିଲ୍ଲା ବ୍ରାହ୍ମଣ ସମାଜର ମିଳିତ ଆନୁକୂଲ୍ୟରେ ଗତ କିଛିବର୍ଷ ହେଲା ଏହି ମହତ୍‌ କାର୍ଯ୍ୟ କରାଯାଉଛି ।

THREAD CEREMONY-3

ଏଥିରେ ୮ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଗରୀବ ବ୍ରାହ୍ମଣ ପିଲା ଓ ଯୁବକଙ୍କୁ ବ୍ରତ କରାଯାଉଛି । ଏହି କାର୍ଯ୍ୟକ୍ରମରେ କେବଳ ସହରର ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏପରିକି ପଡୋଶୀ ରାଜ୍ୟମାନଙ୍କରୁ ମଧ୍ୟ ବହୁ ବ୍ରାହ୍ମଣ ପରିବାର ସାମିଲ ହୋଇ ନିଜନିଜ ପିଲାଙ୍କର ବ୍ରତ କାର୍ଯ୍ୟ ସଂପନ୍ନ କରିଛନ୍ତି ।
ବ୍ରତ କାର୍ଯ୍ୟଟିଏ କରିବାକୁ ହେଲେ ଅତି କମରେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ହେଲେ ଏତେ ପରିମାଣର ଅର୍ଥ ବ୍ରତ ପାଇଁ ଖର୍ଚ୍ଚ କରିବାକୁ ସମସ୍ତେ ସମର୍ଥ ନଥାନ୍ତି । ତେଣୁ ଏଭଳି କାର୍ଯ୍ୟକ୍ରମ ସେମାନଙ୍‌କୁ ଖୁବ୍‌ ସହାୟକ ହେଉଛି । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ସହଯୋଗ କରୁଛନ୍ତି ।

THREAD CEREMONY-4
ସାମୂହିକ ବ୍ରତ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଭାବେ ୧୫୦ ଜଣ ବ୍ରାହ୍ମଣଙ୍କୁ ଅଣାଯାଇଥିବା ବେଳେ ସମସ୍ତଙ୍କ ପାଇଁ ହୋମଯଜ୍ଞ ଆଦିର ବ୍ୟବସ୍ଥା ସହିତ ନବ ବ୍ରହ୍ମଚାରୀଙ୍କ ସାମୂହିକ ମୁଣ୍ଡନ ଏବଂ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଅପରାହ୍ନରେ ସମସ୍ତ ୧୧୧ ଜଣ ବ୍ରହ୍ମଚାରୀଙ୍କର ରୋଷଣୀ ଶୋଭାଯାତ୍ରା ସହରର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

 

Leave A Reply

Your email address will not be published.