ମହାନଦୀ ପଠାରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ୍‌) : କଟକ ସିଡିଏ ନିକଟରେ ଥିବା ମହାନଦୀ ଫାଶୀଦିଆ ନଦୀପଠାରୁ ଏସ୍‌ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଡାକ୍ତରଙ୍କ ନାଁ ଜଗମୋହନ ସେଠୀ । ସେ ଏସ୍‌ସିବି ସର୍ଜରୀ ବିଭାଗ ପିଜି ଶେଷ ବର୍ଷର ଛାତ୍ର।

ସିଡିଏ ଫେଜ-୨ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ଏସ୍‌ସିବିକୁ ପଠାଇଛି। ମିଳିଥିବା ସୂଚନା ମୁତାବକ ଏସ୍‌ସିବିର ଛାତ୍ରାବାସରେ ରହୁଥିବା ଜଗମୋହନ ଗତ ବର୍ଷ ବିବାହ କରିଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ କାର୍‌ଟି ନଦୀ ବନ୍ଧ ଉପରେ ଥିବା ପୋଲିସ ଜାଣିବାକୁ ପାଇଲା । ଏହା ପରେ ଆଜି ସକାଳୁ ଜଗମୋହନଙ୍କ ମୃତଦେହ ମହାନଦୀ ପଠାରୁ ମିଳି ଥିଲା ।

ତେବେ ଜଗମୋହନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ସହିତ କିଛି ସିରିଂଜ ଓ ହାତ ଲେଖା ଚିଠି ପୋଲିସ ଜବତ କରିଛି ପୋଲିସ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ମାମଲା ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପରେ ପରିବାର ଲୋକେ ଆସି ଶବ ଚିହ୍ନଟ କରିଛନ୍ତି ।