ପ୍ରବଳ ତୁଷାରପାତରେ ଫସି ରହି ଚାଲିଗଲା ୨୩ ପର୍ଯ୍ୟଟକଙ୍କ ଜୀବନ! ହେଲେ ପାକିସ୍ତାନର ମନ୍ତ୍ରୀ ସମବେଦନା ଜଣାଇବା ପରିବର୍ତ୍ତେ କହିଲେ ଅତି ଲଜ୍ଜାଜନକ କଥା…

ଉତ୍ତର ପାକିସ୍ତାନରେ ଭୀଷଣ ତୁଷାରପାତ ଯୋଗୁ ଚାଲି ଯାଇଛି ୨୩ ପର୍ଯ୍ୟଟକଙ୍କ ଜୀବନ। ଏହି ପର୍ଯ୍ୟଟକମାନେ ତୁଷାରପାତ ହେଉଥିବା ବେଳେ ନିଜ ଗାଡ଼ି ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ପଞ୍ଜାବ ପ୍ରଦେଶ ରାୱଲପିଣ୍ଡିର ମୁରି ସହରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ ସେଠାରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇ ଯାଇଥିଲା, ଯେଉଁ କାରଣରୁ ଗାଡିଗୁଡ଼ିକ ଅଟକି ରହିଥିଲା। ଆଉ ଏପଟେ ଏଭଳି ସ୍ଥିତିରେ ପ୍ରଶାସନ ଏକଦମ୍ ଅସହାୟ ହୋଇ ପଡିଥିଲା।
ପାକିସ୍ତାନର ପ୍ରସିଦ୍ଧ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀ ମୁରିରେ ବର୍ତ୍ତମାନ କିଛି ଦିନ ହେବ ଭୀଷଣ ତୁଷାରପାତ ହେଉଛି। ଏଥିରେ ଫସି ରହି ୨୩ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଏପଟେ ଦେଶର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଏ ଘଟଣାକୁ ନେଇ ଅତ୍ୟନ୍ତ ଲଜ୍ଜାଜନକ ବୟାନ ଦେଇଛନ୍ତି। ଫୱାଦ ଚୌଧୁରୀ କହିଛନ୍ତି ଯେ ‘ସରକାର ଏବଂ ପ୍ରଶାସନ ଫସି ରହିଥିବା ଲୋକଙ୍କ ପାଇଁ କିଛି କରି ପାରିବେ ନାହିଁ, ଲୋକମାନଙ୍କୁ ନିଜ କମନ୍ ସେନ୍ସର ବ୍ୟବହାର କରିବା ଉଚିତ’।

ପାକିସ୍ତାନ ସରକାର ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ନେଇ ଦୁଃଖ ଓ ସମବେଦନା ଜଣାଇବା ପରିବର୍ତ୍ତେ ଏଭଳି ଏକ ଲଜ୍ଜାଜନକ ବିବୃତ୍ତି ଦେଇଛନ୍ତି। ପାକିସ୍ତାନ କେନ୍ଦ୍ର ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ‘ବଞ୍ଚିବାର ଅଛି ଯଦି ଘରେ ରୁହନ୍ତୁ। ଏତେ ଖର୍ଚ୍ଚ କରିବା ପରିବର୍ତ୍ତେ ଯଦି ଆପଣ ବରଫର ମଜା ଉଠାଇବାକୁ ଚାହୁଁଛନ୍ତି, ତା’ ହେଲେ ସ୍ନୋ ସ୍ପ୍ରେ କିଣନ୍ତୁ ଏବଂ ଘରେ ହିଁ ପରସ୍ପର ଉପରକୁ ସ୍ପ୍ରେ କରନ୍ତୁ। ସବୁ ଜିନିଷ ପାଇଁ ପ୍ରଶାସନ ନାହିଁ, ନିଜ କମନ୍ ସେନ୍ସର ମଧ୍ୟ ବ୍ୟବହାର କରିବା ଉଚିତ’।
ସୂଚନାଥାଉ କି, ସେଠାରେ ଏବେ ବି କିଛି ଯାନବାହନ ଫସି ରହିଛି। ଆଉ ଏହି କାରଣରୁ ସରକାର ରାଜଧାନୀ ଇସଲାମାବାଦଠାରୁ ୬୪ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁରିକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି। ମୁରିରେ ପ୍ରାଣ ହରାଇଥିବା ୨୩ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ୪ ବର୍ଷର ବାଳିକା ମଧ୍ୟ ଅଛି। ପ୍ରବଳ ତୁଷାରପାତ ଯୋଗୁ ପର୍ଯ୍ୟଟକମାନେ ଥଣ୍ଡା ଓ ନିମୋନିଆ କବଳକୁ ଆସି ଯାଇଥିଲେ। ଗାଡ଼ିଗୁଡ଼ିକ ଫସି ରହିଥିବାରୁ ସେହି ସମୟରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯିବା ସମ୍ଭବପର ନ ଥିଲା, ଯେଉଁ କାରଣରୁ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା।