Below header

ସ୍ୱାବ ଟେଷ୍ଟ ପାଇଁ ମେଡିକାଲ କର୍ମଚାରୀଙ୍କୁ ନିସ୍ତୁକ ମାଡ: ଥାନାରେ ଅଭିଯୋଗ, ଜଣେ ଗିରଫ୍‌

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲାରେ କରୋନା ମହାମାରୀ ବୃଦ୍ଧିକୁ ରୋକିବା ପାଇଁ ପ୍ରାଥମିକ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍ୱାବ ଟେଷ୍ଟ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯୋଜନା ରଖାଯାଇଥିଲା । ଏଥି ପାଇଁ ଚାରି ଦିନ ପୂର୍ବରୁ ସ୍ଥାନୀୟ ବାସୀନ୍ଦାଙ୍କୁ ସ୍ୱାବ ଟେଷ୍ଟର ଦିନ, ସ୍ଥାନ ଓ ସମୟ ବାବଦରେ ଅବଗତ କରାଯାଇଥିଲା । ଠିକ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ । ଏବଂ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷା କରାଗଲା । ମାତ୍ର ବହୁ ବିଳମ୍ବରେ ପହଞ୍ଚିଥିବା କିଛି ଦୁର୍ବୁତ୍ତ ସ୍ୱାବ ଟେଷ୍ଟ ପାଇଁ ଜିଦ୍ ଧରିବା ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଦୃଷ୍ଟିରେ ରଖି ପୁଲିସ୍ ଜଣକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ସ୍ୱାବ ପରୀକ୍ଷାକୁ ନେଇ ଏପରିି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ କସପା ପଞ୍ଚାୟତରେ ।

ଅଭିଯୋଗ ମୁତାବକ, ଚିଳତ ମାସ ୧୪ ତାରିଖ ବୁଧବାର ଦିନ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦଶରଥପୁର ବ୍ଲକ କସପା ପଞ୍ଚାୟତ ବାସୀଙ୍କ ପାଇଁ ଏହି ଯୋଜନା ସ୍ଥିର ହୋଇଥିଲା । ପଞ୍ଚାୟତସ୍ଥିତ ବ୍ରହ୍ମଚାରୀ ପାଟଣା ଉପ୍ରା ବିଦ୍ୟାଳୟରେ ଦିବା ୧୨ ଘଟିକା ଠାରୁ ୧.୩୦ ପର୍ଯ୍ୟନ୍ତ ସ୍ୱାବ ନମୁନା ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଯାହାକୁ ନେଇ ୪ଦିନ ପୂର୍ବରୁ ସ୍ଥାନୀୟ ବାସୀନ୍ଦାଙ୍କୁ ପଞ୍ଚାୟତର ଅଙ୍ଗନବାଡି ଓ ଆଶାଦିଦିଙ୍କ ଦ୍ୱାରା ଜଣାଇ ଦିଆଯାଇଥିଲା । ୧୪ ତାରିଖ ଦିବା ୧୨ ଘଟିକା ସମୟରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତର ଜୟପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ସୁପରଭାଇଝର ଅମୂଲ୍ୟ କୁମାର ଦାସ, ସ୍ୱାସ୍ଥ୍ୟ କର୍ମଚାରୀ ସନ୍ତୋଷ ବେହେରା ଓ ସଂଘମିତ୍ରା ରାଉତ ପ୍ରମୁଖ ନିର୍ଦ୍ଧାରିତ ସ୍ୱାବ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଦିବା ୧୨ ଘଟିକା ଠାରୁ ୧.୩୦ ମଧ୍ୟରେ ୫୨ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା ।

ଏହା ସହିତ ଆଉ କିଛି ଲୋକ ସ୍ୱାବ ପରୀକ୍ଷା ପାଇଁ ଆସି ପାରନ୍ତି ବୋଲି ଚିନ୍ତାକରି ମେଡିକାଲ ଟିମ୍ ପାଖାପାଖି ଦିବା ୨ ଘଟିକା ପର୍ଯ୍ୟନ୍ତ ସ୍ୱାବ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରିଥିଲେ । ମାତ୍ର କୌଣସି ବ୍ୟକ୍ତି ସ୍ୱାବ ପରୀକ୍ଷା ପାଇଁ ନ ଆସିବାରୁ ମେଡିକାଲ ଟିମ୍ ସ୍ୱାବ ପରୀକ୍ଷା ପାଇଁ ପରିଧାନ କରିଥିବା ପିପିଇ କିଟ୍ ଓ ସରଞ୍ଜାମ ସବୁ ପ୍ୟାକିଂ କରି ଗାଡିରେ ବସି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ବାହାରିଥିଲେ । ଠିକ୍ ଏହି ସମୟରେ ଦୁଇ ଜଣ ମହିଳା ସ୍ୱାବ ପରୀକ୍ଷା ପାଇଁ ଗାଡି ଅଟକାଇବାରୁ ସେମାନଙ୍କୁ ଆସନ୍ତା କାଲି ଆସିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ସମୟରେ ୩ ରୁ ୪ ଜଣ ସ୍ଥାନୀୟ ବ୍ୟକ୍ତି ଗାଡି ସମ୍ମୁଖକୁ ଆସି ଗାଡିର ଚାଳକ ଓ ଗାଡି ଭିତରେ ବସିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗାଡି ଭିତରୁ ଟାଣିନେଇ ନିସ୍ତୁକ ମାଡ ମାରିଥିଲେ ।

ଅନ୍ୟପଟେ ଏ ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟାଧିକାରୀ ଉମାକାନ୍ତ ମଲ୍ଲିକଙ୍କ ପରାମର୍ଶ କ୍ରମେ ଡାକ୍ତର ଜୟ ପ୍ରକାଶ ମିଶ୍ର ମଙ୍ଗଳପୁର ଥାନାରେ ଆକ୍ରମଣକାରୀ ବୁଦ୍ଧଦେବ ବେହେରା, ଦେବେନ୍ଦ୍ର ବେହେରା, ଅଭୟ ଦାସଙ୍କ ସମେତ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠା ଦାବି କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଥାନା କେସ୍ ନଂ. ୩୫୮/୨୧ ଓ ଭାରତୀୟ ଦଣ୍ଡସଂହିତା ୩୪୧, ୩୩୩, ୨୯୪, ୩୨୪, ୫୦୬ ଓ ୩୪ ଆଇପିସି ରେ ଏକ ମାମଲା ରୁଜୁକରି ବୁଦ୍ଧଦେବ ବେହେରା ନାମକ ଜଣେ ଆକ୍ରମଣକାରୀଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିଲା । ଜାମିନ୍ ନାମୁଞ୍ଜର ହେବାରୁ ଅଭିଯୁକ୍ତ ବୁଦ୍ଧଦେବକୁ ଜେଲ୍ ଜିବାକୁ ପଡିଛି । ଅପରପକ୍ଷେ ଏହି ଘଟଣା ପରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ଲକର ଖଣ୍ଡରା ପଞ୍ଚାୟତ ସମେତ ନିର୍ଦ୍ଧାରିତ ଅନ୍ୟ ସ୍ଥାନମାନଙ୍କରେ ସ୍ୱାବ ନମୁନା ପରୀକ୍ଷାକୁ ବନ୍ଦ ରଖାଯାଇଛି । ସେପଟେ ଏହି ଘଟଣାକୁ ରଫାଦଫା କରିବାକୁ ସ୍ଥାନୀୟ କିଛି କୁଜିନେତା ପୁଲିସ୍ ଉପରେ ରାଜନୈତିକ ଚାପ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.