ଡିପ୍‌ ଡିପ୍ରେସନ ପ୍ରଭାବ: ଭୁବନେଶ୍ୱର ଓ କଟକର ବସ୍ତିରେ ଘରେ ଘରେ ପାଣି ପଶିବାରୁ ଲୋକ ହନ୍ତସନ୍ତ

କେନ୍ୟୁଜ୍(ବ୍ୟୁରୋ): ଟ୍ଵିନସିଟିରେ ବର୍ଷା। ଡିପ୍‌ ଡିପ୍ରେସନ ପ୍ରଭାବ ବର୍ଷାରେ ଭିଜିଲା ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକ। ପ୍ରବଳ ବର୍ଷା ପାଇଁ ଟ୍ଵିନ ସିଟି ପାଇଁ ଜାରି ହୋଇଥିଲା ଅରେଞ୍ଜ ୱାର୍ଣ୍ଣିଂ। ଗତକାଲି ରାତିରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ସକାଳୁ ବି ଲାଗି ରହିଥିଲା ତୁହାକୁ ତୁହା ବର୍ଷା। ବର୍ଷା ସହ କୋହଲା ପାଗ ଓ ଥଣ୍ଡା ପବନ ପାଇଁ ଜନଜୀବନ ପ୍ରଭାବିତ ହୋଇଥିଲା। ରାସ୍ତା ଘାଟ ଜନଶୂନ୍ୟ ହୋଇଥିବା ବେଳେ କାଁଭାଁ କେଉଁଠି କେମିତି ଲୋକଙ୍କୁ ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥରେ ବି କମ୍‌ ସଂଖ୍ୟକ ଗାଡ଼ି ଚଳାଚଳ କରୁଥିଲା। ଲଗାଣ ବର୍ଷା ଫଳରେ ତଳୁଆ ଅଞ୍ଚଳରେ ପାଣି ଜମି ରହିଥିବା ଦେଖାଯାଇଛି। ଭୁବନେଶ୍ୱର ଓ କଟକର କେତେକ ବସ୍ତିରେ ଘରେ ପାଣି ପଶିଥିବାରୁ ଲୋକ ହନ୍ତସନ୍ତ ହୋଇଥିଲେ। ପାଗ ଖରାପ ଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଥଲ ସାମୟିକ ବାଧାପ୍ରାପ୍ତ ହୋଇଥିଲା। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା।

ପୁରୀ ନିକଟରେ ଜୱାଦ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିଲା। ଏନେଇ ପୁରୀ ପ୍ରତି ସର୍ବାଧିକ ଦୃଷ୍ଟି ଦେଇଥିଲା ଜିଲ୍ଲା ପ୍ରଶାସନ। ପ୍ରବଳ ବର୍ଷା ସହ ସମୁଦ୍ର ଜୁଆରିଆ ଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବାରଣ କରାଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ବି କିଛି ବାହାରକୁ ବାହାରି ସମୁଦ୍ରକୂଳକୁ ଯାଉଥିବା ଦେଖାଯାଇଥିଲା। ବେଳାଭୂମିରେ ପୋଲିସ ସେମାନଙ୍କୁ ଫେରିଯିବାକୁ ପରାମର୍ଶ ଦେଇଥିଲା। ଦିନସାରା ବର୍ଷା ଲାଗି ରହିଥିବାରୁ ବଡ଼ଦାଣ୍ଡ ବି ଖାଁ ଖାଁ ଥିଲା। ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସେଠାରେ ୨ଶହ ଘର ପାଣି ଘେରରେ ରହି ହଇରାଣ ହୋଇଛନ୍ତି।.

ବନ୍ଦର ନଗରୀ ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷାରେ ବିଭିନ୍ନ କଲୋନୀ ସମେତ ବସ୍ତି ବେହାଲ ହୋଇପଡିଛି। ମଧ୍ୟାହ୍ନରେ ଦୀର୍ଘ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହେବା ଫଳରେ ନୂଆବଜାର ବସ୍ତି ଅଞ୍ଚଳରେ ପାଣି ପଶିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.