ଆଜିଠୁ ୧୮ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ମୌସୁମୀ ସାଙ୍ଗକୁ ଲଘୁଚାପ ସକ୍ରିୟ । ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ଗତକାଲିର ଲଘୁଚାପ ଆଜି ଉପକୂଳ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିଲୋମିଟର ଉଚ୍ଚତା ଯାଏ ବ୍ୟାପିଛି । ଆଜିଠୁ ୧୮ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୨୪ ଘଣ୍ଟାରେ କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ।

ସେହିପରି ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାଣ ବର୍ଷାରେ ବେହାଲ୍‌ ମାଲକାନଗିରି ଜିଲ୍ଲା । ପୋଲାଭରମର ପଛୁଆ ଜଳରେ ମୋଟୁ ସୀମାନ୍ତ ରାଞ୍ଚି-ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ। ସୀମାନ୍ତ ମୋଟୁର କୁଇଗୁର ବ୍ରିଜ୍‌ ଉପରେ ୫ରୁ ୭ ଫୁଟ ଉପରେ ପାଣି ପ୍ରବାହିତ । ଚାଟି ଓ କଣ୍ଟା ରାସ୍ତା ଉପରେ ୧୦ ଫୁଟର ପାଣି ଚାଲିଛି । ୪ଟି ବ୍ଲକର ୩୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟୁ ମୁଗିପଇଣ୍ଟି ମଧ୍ୟ ସମ୍ପୁର୍ଣ୍ଣ ବୁଡି ଯାଇଛି ।

ଜୁନରେ ନିଅଣ୍ଟିଆ ବର୍ଷାକୁ ଭରୁଛି ଜୁଲାଇ ବର୍ଷା । ରାଜ୍ୟରେ ଜୁନ ୧ରୁ ଏଯାଏ ୩୬୦.୬ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷାଠାରୁ ୧ ପ୍ରତିଶତ ଅଧିକ । ଏଯାଏ ୬ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ସେହିପରି ଅନ୍ୟ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.