ନାବାଳିକାକୁ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗରେ ଜଣେ ମହିଳା ଓ ହୋମଗାର୍ଡ଼ ଗିରଫ
କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜ୍ୟୋତିପଡା ଠାରେ ଜଣେ ନାବାଳିକାକୁ ଅନ୍ୟ ଜଣେ ମହିଳା ଜୋର ଜବରଦସ୍ତ ନିଜ କବଜାରେ ରଖି ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ସେହି ସ୍ଥାନରୁ ନାବାଳିକା ଜଣକ ଖସିଆସି ବସଷ୍ଟାଣ୍ଡରେ ବସି କାନ୍ଦୁଥିଲା। ତାକୁ ଦେଖି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ପରେ ଚାଇଲଡ଼ ଲାଇନ ସଦସ୍ୟ ଝିଅଟିକୁ ଉଦ୍ଧାର କରି ତାଠାରୁ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ।
ଚାଇଲଡ଼ ଲାଇନ ପରାମର୍ଶ କ୍ରମେ ନାବାଳିକା ଜଣକ କୁଚିଣ୍ଡା ଥାନାରେ ଏ ନେଇ ଅଭିଯୋଗ କରିଥିଲେ।
ପରେ ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ନାବାଳିକା ଯୁବତୀକୁ ଜଣେ ଯୁବକ ପ୍ରେମ କରି ଗର୍ଭବତୀ କରିବା ପରେ ଗର୍ଭ ଭାଙ୍ଗି ଫେରାର ହୋଇଯାଇଥିଲା। ଯୁବତୀ ଜଣକ ଜ୍ୟୋତିପଡାର ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା। ସଂପୃକ୍ତ ମହିଳା ଜଣକ ଏହାର ସୁଯୋଗ ନେଇ ନାବାଳିକାକୁ ଏକ ଘରେ ବନ୍ଦୀ କରି ରଖିଥିଲା । ଏହା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛି ନାବାଳିକା ଜଣକ ।
ଆହୁରି ମଧ୍ୟ ଅନ୍ୟ କିଛି ଗୁରୁତର ଅଭିଯୋଗ ଆଣିଛି ନାବାଳିକା ଜଣକ । କୁଚିଣ୍ଡା ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ନାବାଳିକା ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛି । ଏହି ଘଟଣାରେ ପୋଲିସ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିବା ମହିଳା ସମେତ ହୋମଗାର୍ଡ ଓ ଅନ୍ୟ ଜଣେ ଯୁବକକୁ କୁଚିଣ୍ଡା ପୋଲିସ ଗିରଫ କରି କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତରୀ ମାଇନା କରିଥିଲା । ନାବାଳିକାକୁ ସମ୍ବଲପୁର ମେଡିକାଲକୁ ଡାକ୍ତରୀମାଇନା ପାଇଁ ପଠାଯାଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ନାବାଳିକାର ପ୍ରେମିକକୁ ଖୋଜୁଛି । ଯିଏକି ଫେରାର ଅଛି ।