କେମିତି କାମ କରୁଛି ପୋଲିସ?ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର, ଏଣିକି ଫିଡ୍ବ୍ୟାକ୍ ଦେବେ ଅଭିଯୋଗକାରୀ

ଭୁବନେଶ୍ବର: କେମିତି କାମ କରୁଛି ପୋଲିସ । ଏଣିକି ଫିଡ୍ବ୍ୟାକ୍ ଦେବେ ଅଭିଯୋଗକାରୀ । ରାଜ୍ୟ ଓ ଜିଲ୍ଲା ସ୍ତରରେ କଲ୍ ସେଣ୍ଟର ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଏକ ଡାସ୍ବୋର୍ଡ ତିଆରି କରିଛନ୍ତି । ଏହା ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିଙ୍କ ଟେଲିଫୋନ୍ ନମ୍ବରର ତାଲିକା ପ୍ରସ୍ତୁତ କରିବ । ରାଜ୍ୟସ୍ତରର କଲ ସେଣ୍ଟର ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଠାରେ କାମ କରିବ । ସେହିପରି ଜିଲ୍ଲାସ୍ତରରେ ଏହା ଏସ୍ପିଙ୍କ କାର୍ଯ୍ୟାଳୟରେ କାମ କରିବ । ରାଜ୍ୟ ସରକାର ଅକ୍ଟୋବର ୨ରୁ ମୋ ସରକାର କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ସାମିଲ ହେବ ଓଡ଼ିଶା ପୋଲିସ । ଏନେଇ ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି ।
ପୋଲିସ ଡିଜି ବି.କେ ଶର୍ମା କର୍ମଶାଳାକୁ ଉଦ୍ଘାଟନ କରିଛନ୍ତି । ବୈଠକରେ ଥାନା ମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ଆଚରଣ କପରି ଭଲ ରହିବ ସେନେଇ ଆଲୋଚନା ହୋଇଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରୁ ଜଣେ ବା ଦୁଇ ଜଣ ବଛାବଛା ଅଫିସରଙ୍କୁ ପ୍ରଶିକ୍ଷିତ କରାଯିବ । ଏମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ମାର୍ଜିତ ବ୍ୟବହାର ପାଇଁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦେବେ । ଏହାକୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ପୋଲିସ ଡିଜି ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ଭୁବନେଶ୍ୱର ଓ କଟକ ପୋଲିସ କମିଶନର, ସବୁ ଜିଲ୍ଲାର ଏସ୍ପି, ରେଞ୍ଜ ଆଇଜି, ଡିଆଇଜି ଓ ରାଜ୍ୟ ପୋଲିସ ସଦର ମହକୁମାର ସମସ୍ତ ଅଫିସର ଭିଡିଓ କନ୍ଫରେନ୍ସରେ ଯୋଗଦେଇଥିଲେ ।