ଘୋଡ଼ାଇ ହୋଇ ଶୋଇଲେ ଝାଳ ବହୁଛି, କାଢ଼ିଲେ ହେଉଛି ଶୀତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ତ୍ତମାନ ହିନ୍ଦୁଙ୍କ ହିସାବରେ ପୌଷ ମାସ ଏବଂ ଇଂରାଜୀରେ ଜାନୁଆରୀ । ଏଇ ମାତ୍ର ମାଘ ମାସ ଆରମ୍ଭ ହେବ । ହେଲେ ନା ପୌଷର ଶୀତ ଅଛି ନା ମାଘର ବାଘ ଶୀତ ଆଶା କରାଯାଉଛି । ତା ବଦଳରେ ହେଉଛି ୩୪ ଡିଗ୍ରୀର ତାତି । ଅର୍ଥାତ୍‌ ଶୀତକୁ ଯେମିତି ଖାଇ ଦେଇଛି ଗରମ । ଏବେ ରାତିରୁ ଏତେ ଘନ କୁହୁଡ଼ି ହେଉଛି ଯେ ରାସ୍ତା ଘାଟ ଦେଖା ଯାଉଛି । ମେଘ ଘୋଡ଼ାଇଲା ଭଳି ସାରା ପରିବେଶ ଅନ୍ଧାରିଆ ଦିଶୁଛି । ବେଳେ ବେଳେ ତ କୁହୁଡ଼ି ଦିନ ୧୦ଟା ଯାଏ ଲାଗି ରହୁଛି । ରାତିରେ କମ୍ବଳ କି ରେଜେଇ ଘୋଡ଼ାଇ ଶୋଇଲେ ଦେହରୁ ଝାଳ ବହୁଛି । ଆଉ ଯଦି କାଢ଼ି ଦେବେ ତେବେ ଶୀତ ଲାଗୁଛି ।

ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ମାଲକାନଗିରି । ଏଠାରେ ଗତକାଲି ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ଥିଲା ୮.୬ ଡିଗ୍ରୀ । ଆଗାମୀ ୨୪ ଘଣ୍ଟାରେ ଏହିଭଳି ପାଗ ଜାରି ରହିବ । ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥଣ୍ଡାର ପ୍ରକୋପ ପୂର୍ବ ଦିନ ପରି ଅଧିକ ରହିବ । ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ାରେ ଘନ କୁହୁଡ଼ି ଦେଖାଦେବ । ଆଜି ରାତିରୁ କୁହୁଡ଼ି ପଡ଼ିଯିବ, ତେଣୁ ଲୋକମାନଙ୍କୁ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଆଜି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ର ଥିଲା ୨୯.୬ ଡିଗ୍ରୀ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୨୭ ଡିଗ୍ରୀ ଉପରେ ଥିଲା । ମାଲକାନଗିରିରେ ଥିଲା ସର୍ବାଧିକ ୩୨ ଡିଗ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.