୬-୭ଟି ଜିଲ୍ଲାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, କାଲିଠାରୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଦିନେ ଦୁଇ ଦିନ ବର୍ଷା ହେଲା । ୬-୭ଟି ଜିଲ୍ଲାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତାପରେ ଧିମା ପଡ଼ିଗଲା । କେଉଁଠି ବର୍ଷା ହେଉଛି ତ ଆଉ କିଛି ସ୍ଥାନରେ ନାହିଁ । ପାଗ ଅନୁକୂଳ ରହିଥିଲେ ବି ଦ୍ରୁତ ଅଗ୍ରସର ହେଉନି । ଲୁଚକାଳି ଖେଳୁଛି । ଧିରେ ଧିରେ ଆଗକୁ ବଢୁଛି । ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବ । ମୌସୁମୀ ସକ୍ରିୟ ହେବା ପାଇଁ ବାଟ ଫିଟାଉଛି ପ୍ରାକ୍‌ ମୌସୁମୀ ବର୍ଷା ।

ଆସନ୍ତା ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । କାଲିଠାରୁ ବଢ଼ିପାରେ ବର୍ଷା ପରିମାଣ । କାଲି ପାଇଁ ୬ ଜିଲ୍ଲା କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ୧୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ୨୧ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରେ ୮ ଜିଲ୍ଲା ଓ ୨୩ ତାରିଖ ପାଇଁ ୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ମୌସୁମୀ ଜନିତ ବର୍ଷା ପରେ ରାଜ୍ୟରେ ନିଅଣ୍ଟିଆ ସ୍ଥିତିରେ ସାମାନ୍ୟ ଭରଣା ହୋଇଛି । ଜୁନ୍‌ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୫୭ ପ୍ରତିଶତ କମ୍‌ ବର୍ଷା ହୋଇଛି । ଜୁନ୍‌ ୧୪ ତାରିଖ ଭିତରେ ସ୍ୱାଭାବିକଠାରୁ ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଗତ ୪ ଦିନରେ ୨୩ ପ୍ରତିଶତ ନିଅଣ୍ଟିଆ ଭରଣା ହୋଇଛି । ୧୬ ଜିଲ୍ଲାରେ ରେକର୍ଡ ହୋଇଛି ୬୦ ପ୍ରତିଶତରୁ କମ୍‌ ବର୍ଷା । ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.