ଆଗାମୀ ୪ରୁ ୫ ଦିନ ଭିତରେ ଓଡିଶାରେ ପହଞ୍ଚିବ ମୌସୁମୀ, ଅନୁକୂଳ ହେଉଛି ପାଗ
କେନ୍ୟୁଜ୍(ବ୍ୟୁରୋ):ରଜରେ ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ପହଞ୍ଚିବ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପାଇଁ ଅନୁକୂଳ ହେଉଛି ପାଗ। ବଙ୍ଗୋପସାଗରର ଅଧିକାଂଶ ଭାଗ, ଉତ୍ତର ଆରବ ସାଗର, ମରାଠୱାଡାରେ କିଛି ଭାଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଉପରେ ମୌସୁମୀ ବାୟୁ ପ୍ରବାହ ନେଇ ପାଗ ଅନୁକୂଳ ରହିଛି। ସେପଟେ ପ୍ରାକ୍ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସହ କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୪ ଜିଲ୍ଲା କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀର କେତେକାଂଶରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଗାମୀ ୩ରୁ ୪ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଥିଲେ। ଏବେ ଏଥିରୁ ତ୍ରାହି ମିଳିବ ବୋଲି ଆଶା ରହିଛି।