ମା’ ଆଗେଇଲେ ଦେଶ ଆଗେଇବ, ସମାଜ ଆଗେଇବ: ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ମହିଳା ସଶକ୍ତିକରଣ ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ମା’ ଆଗେଇଲେ ଦେଶ ଆଗେଇବ, ସମାଜ ଆଗେଇବ । ଆଜି ବିଜେଡି ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ମା’ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢି ପାରିବ ନାହିଁ । ୧୯୯୨ରେ ବିଜୁବାବୁ ମହିଳାଙ୍କ ପାଇଁ ପଞ୍ଚାୟତ, ଅରବାନ ବଡି ଓ ସରକାରୀ ଚାକିରିରେ ୩୩ % ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ ।

ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ବିଜେଡି ସରକାର ପଞ୍ଚାୟତ ଓ ଅରବାନ ବଡିମାନଙ୍କରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ବିଜୁ ଜନତା ଦଳ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳା ମାନଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଲଢେଇ କରୁଛି । ନବୀନ ପଟ୍ଟନାୟକ କହିଛନ୍ତି, ଆମେ କଥା ନୁହଁ କାମରେ ବିଶ୍ୱାସ କରୁ । ବିଜେଡି ଏକମାତ୍ର ଦଳ ଭାବେ ୨୦୧୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇଥିଲା । ନିର୍ବାଚନ ଆସିଲେ, ଜାତୀୟ ଦଳମାନେ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେ କଥା ଭୁଲି ଯାଆନ୍ତି ।

ବିଜୁ ଜନତା ଦଳ ଆଞ୍ଚଳିକ ଦଳ ହେଲେ ମଧ୍ୟ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ । ଏବେଠାରୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ପ୍ରତି ଅଧିବେଶନରେ ବିଜେଡି ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେ ପକାଇ ଦେବ । ସବୁ ସ୍ତରରେ ଏହି ବିଷୟ ଉଠାଇବ ଦଳ । ମହିଳାଙ୍କୁ ସେମାନଙ୍କ ହକ୍‌ ନମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ କେନ୍ଦ୍ର ସ୍ତରରେ ଲଢେଇ ଜାରି ରଖିବ । ଭାରତର ସବୁ ମହିଳାଙ୍କ ନିକଟରେ ଏହି ସ୍ୱର ପହଞ୍ଚିବ । ଗାଁ ଗାଁରେ ଘରେ ଘରେ ମା’ ମାନଙ୍କୁ ସଚେତନ କରାଇବ ଦଳ । ଏହାକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.