ରାୟଗଡ଼ାରେ ସମାଜସେବୀ ଗୌରୀ ମିଶ୍ରଙ୍କୁ ହତ୍ୟା କରିଥିବା ସୁପାରୀ କିଲରକୁ ମର୍ଡର, ୯ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ଗିରଫ

ଡିଲ୍‌ ହୋଇଥିବା ସମୁଦାୟ ଟଙ୍କା ମାଗିବାରୁ ମାରିଦେଲେ ଷଡଯନ୍ତ୍ରକାରୀ। ଦୁଇଟି ମାମଲାର ପର୍ଦ୍ଦାଫାସ କଲା ପୋଲିସ। ୯ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣ ଗିରଫ। ୨ ଦେଶୀ ବନ୍ଧୁକ ଓ ବାଇକ ଜବତ।

ରାୟଗଡ଼ା(କେନ୍ୟୁଜ୍):  ଗୋଟିଏ ହତ୍ୟାକାଣ୍ଡ ଲୁଚାଇବାକୁ ଯାଇ ଆଉ ଗୋଟିଏ ହତ୍ୟା । ସମାଜସେବୀଙ୍କୁ ହତ୍ୟା କରିଥିବା ସୁପାରୀ କିଲରକୁ ମର୍ଡର । ରାୟଗଡ଼ାରେ ଡବଲ ମର୍ଡର ମାମଲାରେ ପର୍ଦ୍ଦାଫାସ। ଗତ ମେ ୧୩ରେ ବଂଶଧାରା ନଦୀ ବ୍ରିଜ୍‌ ଉପରେ ସମାଜସେବୀ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଜମି ବାଡ଼ି ବିବାଦକୁ ନେଇ ଆର୍‌.କ୍ରିଷ୍ଣା ଓ ତାଙ୍କ ଶାଳକ ଆକୁଲୁ ଗୋବିନ୍ଦା ଏହି ହତ୍ୟା ପାଇଁ ଷଡ୍‌ଯନ୍ତ୍ର କରିଥିଲେ । ଏଥିପାଇଁ ସୁପାରୀକିଲର ଭି. ରାଜେଶକୁ ୩୦ ଲକ୍ଷ ଟଙ୍କା ଦେବାକୁ ଡିଲ୍‌ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ସେମାନେ ୪ ଲକ୍ଷ ଟଙ୍କା ଦେଇଥିଲେ । ଗତ ମେ ୧୩ ତାରିଖ ରାତି ୧୦ଟାରେ ସୁପାରି କିଲର ଭି. ରାଜେଶ ଛତ୍ରପୁରର କାହ୍ନା ପ୍ରଧାନ, ଆର୍‌.ଉଦୟଗିରିର ମୁନ୍ନା ଲିମା ସହିତ ଏକ ବାଇକରେ ଆସି ଗୌରୀ ମିଶ୍ରଙ୍କୁ ଗୁଳିକରି ହତ୍ୟା କରିଥିଲା ।

 ଗୌରୀ ମିଶ୍ରଙ୍କୁ ହତ୍ୟା ପାଇଁ ଡିଲ୍‌ ୩୦ ଲକ୍ଷରୁ ବାକି ୨୬ ଲକ୍ଷ ଟଙ୍କା ନ ମିଳିବାରୁ ଘଟଣାର ପ୍ରଘଟ କରିଦେବାକୁ ସୁପାରୀକିଲର ଭି. ରାଜେଶ ଧମକ ଦେଇଥିଲା । ଏହାପରେ ଟଙ୍କା ଦେବା ବାହାନାରେ ଷଡ୍‌ଯନ୍ତ୍ରକାରୀମାନେ ଭି. ରାଜେଶକୁ ବିଶାଖାପାଟଣା ଡକାଇ ହତ୍ୟା କରିଥିଲେ । ମେ ୧୯ ତାରିଖରେ ବିଶାଖାପଟଣା ନିକଟ ଆନନ୍ଦପୁର ଜଙ୍ଗଲରେ ହତ୍ୟା ପରେ ଗାତ ଖୋଳି ମୃତଦେହ ପୋତି ଦେଇଥିଲେ । ଏନେଇ ରାଜେଶଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ କରିଥିଲା ପୋଲିସ । ଏହି ମର୍ଡର ମାମଲାରେ ୫ ଜଣ ଅଭିଯୁକ୍ତ ଅଛନ୍ତି । ଗୌରୀ ମିଶ୍ର ଓ ଭି. ରାଜେଶ ହତ୍ୟା ମାମଲାରେ ମୋଟ ୯ ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି ଗୁଣୁପୁର ଥାନା ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତ ଆର୍‌.ଉଦୟଗିରିର ମୁନ୍ନା ଲିମା ଓ ଛତ୍ରପୁରର କାହ୍ନା ପ୍ରଧାନ ଫେରାର ଅଛନ୍ତି । ଜଣେ ସମାଜସେବୀଙ୍କୁ ହତ୍ୟା ଘଟଣାରେ ସୁପାରୀ କିଲରକୁ ଷଡ୍‌ଯନ୍ତ୍ରକାରୀମାନେ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.