ଅର୍ଚ୍ଚନା ମାମଲାରେ ‘ମୋ ଫଟୋକୁ ଯୋଡ଼ା ଯାଇଛି’ : ଏଭଳି ଅଭିଯୋଗ କରି ଥାନାରେ ଏତଲା ଦେଲେ କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ

କରଞ୍ଜିଆ (କେନ୍ୟୁଜ୍‌) : ଅର୍ଚ୍ଚନା ନାଗ ସହ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ । ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି। ନିଜର ଶତାଧିକ ସମର୍ଥକ ତଥା ବିଜେଡି ନେତାଙ୍କ ସହ ଆସି ସେ ଥାନାରେ ଅଭିଯୋଗ କରିଛନ୍ତି ।

ଦୁଇ ଦିନ ତଳେ ଭୁବନେଶ୍ୱରର ପ୍ରତିଷ୍ଠିତ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତି ନେଇ ଇଡି ଜେରା କରିଛି । ଏ ସମ୍ବନ୍ଧୀୟ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଆଉ ଏହି ଖବର ସହ ଅମୀୟକାନ୍ତ ଦାସଙ୍କ ସ୍ଥାନରେ ଗିରିଧାରୀ ପୃଷ୍ଟିଙ୍କ ଫୋଟ ରହିଥିଲା । ତେବେ ତାଙ୍କ ଫଟୋକୁ ଏଡିଟ୍‌ କରାଯାଇ ସେଠାରେ ଯୋଡ଼ା ଯାଇଛି ବୋଲି ଗିରିଧାରୀ ପାଲଟା ଅଭିଯୋଗ କରିଛନ୍ତି ।

ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରଲ କରାଯାଇଥିଲା। ଯାହାକୁ ନେଇ କରଂଜିଆ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହି ଘଟଣା ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି ବୋଲି ଗିରିଧାରୀ କହିଛନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.