Below header

ନଅ ଦିନ ଧରି ଚାଲିବ ମା’ ବୁଢୀ ଠାକୁରାଣୀଙ୍କ ଘଟଯାତ୍ରା, ମହକିବା ସହ ଦୁଲୁକୁଛି ନବରଙ୍ଗପୁର

ପାରମ୍ପରିକ ବାଦ୍ୟର ତାଳେ ତାଳେ, ଚମ୍ପାଫୁଲ ଓ ଝୁଣାର ବାସ୍ନାରେ ମା’ ବୁଢି ଠାକୁରାଣୀ ନିଜ ଭଉଣୀ ମାନଙ୍କ ସହ ନବରଙ୍ଗପୁର ସହର ପରିକ୍ରମା କରିଥାନ୍ତି । ଏହି ନବଦିନାତ୍ମକ ଘଟଯାତ୍ରାରେ ମା ବୁଢି ଠାକୁରାଣୀଙ୍କ ସହ ମା ଭଣ୍ଡାର ଘରଣୀ, ମାଉଲି ମା ଓ ମା କନକ ଦୁର୍ଗାଙ୍କ ଚାରୋଟି ଘଟ ସହର ପରିକ୍ରାମା କରିଥାନ୍ତି । ଆଜ୍ଞାମାଳ ସହ ଛତର, ଦୁଇଟି ଧ୍ୱଜା ଓ ହଳଦୀ ପେଡ଼ି ଶୋଭାଯାତ୍ରାରେ ସାମିଲ ହୋଇଥାଏ ।

ନବରଙ୍ଗପୁର, କେନ୍ୟୁଜ୍‌(ବ୍ୟୁରୋ): ଗୋବର ଓ ନାଲି ରଙ୍ଗର ମାଟିରେ ଲିପା ହୋଇଛି ଘର ଅଗଣା । ସୁନ୍ଦର ସୁନ୍ଦର ଝୋଟି ଚିତାରେ ଝଟକୁଛି । ଚିତା ଉପରେ ଆସି ମାଆ ବିରାଜମାନ କରିବେ । ପ୍ରସ୍ତୁତ କରି ରଖିଛନ୍ତିି ମୁଆଁ ସହ ନଡ଼ିଆ ଓ କଦଳୀ ଭୋଗ । ଏହାସହ ସଜାଡ଼ି ରଖିଛି ଧୂପ ଓ ଦୀପ । ବର୍ଷକରେ ଥରେ ମାଆ ଆସିଥାନ୍ତି ଭକ୍ତଙ୍କ ଦୁଆରକୁ । ମାଆଙ୍କ ଆଗମନକୁ ଚାହିଁ ବସିଛି ଭକ୍ତର ମନ । ଝୁଣା ଓ ଧୂପର ବାସ୍ନାରେ ମହକି ଉଠୁଛି ସାରା ଅଞ୍ଚଳ । ଘଣ୍ଟ, ଘଣ୍ଟା, ଢୋଲ, ନିଶାନ ଓ ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ସାରା ସହର । ନବରଙ୍ଗପୁର ସହରର ମା’ ବୁଢି ଠାକୁରାଣୀଙ୍କ ନବ ଦିନାତ୍ମକ ଘଟଯାତ୍ରା ପାଇଁ ଏପରି ଭାବେ ମହକୁଛି ।

ପାରମ୍ପରିକ ବାଦ୍ୟର ତାଳେ ତାଳେ, ଚମ୍ପାଫୁଲ ଓ ଝୁଣାର ବାସ୍ନାରେ ମା’ ବୁଢି ଠାକୁରାଣୀ ନିଜ ଭଉଣୀ ମାନଙ୍କ ସହ ନବରଙ୍ଗପୁର ସହର ପରିକ୍ରମା କରିଥାନ୍ତି । ପରମ୍ପରା ଅନୁସାରେ ଏହି ନବଦିନାତ୍ମକ ଘଟଯାତ୍ରାରେ ମା ବୁଢି ଠାକୁରାଣୀଙ୍କ ସହ ମା ଭଣ୍ଡାର ଘରଣୀ, ମାଉଲି ମା ଓ ମା କନକ ଦୁର୍ଗାଙ୍କ ଚାରୋଟି ଘଟ ସହର ପରିକ୍ରାମା କରିଥାନ୍ତି । ମାଟିରେ ତିଆରି ମାଆଙ୍କ ଘଟକୁ ସିନ୍ଦୁର, ହଳଦୀ, ଚନ୍ଦନ, ଶାଢୀ ଓ ଚୁଡ଼ିରେ ସଜ୍ଜିତ କରି ବିଗ୍ରହର ରୂପ ଦେଇଥାନ୍ତି । ଭଣ୍ଡାର ଘରଣୀ ପୀଠର ପୂଜକଙ୍କ ଦ୍ୱାରା ଘଟରେ ପ୍ରାଣ ପ୍ରତିଷ୍ଠା ହୋଇଥାଏ । ଏହାପରେ ଆଦିବାସୀ ମହିଳା ଘଟକୁ ମୁଣ୍ଡରେ ବୋହି ବିରାଟ ପଟୁଆରରେ ବାହାରି ବୁଢୀ ଠାକୁରାଣୀଙ୍କ ପୀଠରେ ପହଁଚିଥାନ୍ତି । ଆଜ୍ଞାମାଳ ସହ ଛତର, ଦୁଇଟି ଧ୍ୱଜା ଓ ହଳଦୀ ପେଡ଼ି ଶୋଭାଯାତ୍ରାରେ ସାମିଲ ହୋଇଥାଏ । ସେଠାରେ ପୂଜାର୍ଚ୍ଚନା ପରେ ରାଜ ପରିବାରର ସଦସ୍ୟ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ ମାଆ ସହର ପରିକ୍ରମାରେ ବାହାରି ଯାଆନ୍ତି ।

ଆଦିବାସୀ ରୀତି, ନୀତି ଅନୁସାରେ ରାଜ ରାଜୁଡ଼ା ଅମଳରୁ ମାଆଙ୍କ ପୂଜା ହୋଇ ଆସୁଛି । ପ୍ରତ୍ୟେକ ଦିନ ବିଭିନ୍ନ ସାହିକୁ ଯାଇ ଘରକୁ ଘର ବୁଲି ପୂଜା ପାଇଥାନ୍ତି ମାଆ । ଆଜି ମାଆ ହଲଦୀ ମୁହିଁ ବେଶ ହୋଇ ସହର ପରିକ୍ରମା କରିଥିବା ବେଳେ ଆସନ୍ତାକାଲିଠୁ ରକ୍ତମୁଖା ବେଶରେ ସହର ପରିକ୍ରମା କରିବେ । ମାଆଙ୍କ ଏହି ଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ଦୂର ଦୂରାନ୍ତରରୁ ଛୁଟି ଆସିଥାନ୍ତି ଭକ୍ତ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ ପ୍ରଶାସନ ମଧ୍ୟ ସୁରକ୍ଷାକୁ ବ୍ୟାପକ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.