ଆସନ୍ତାକାଲି ହେବ ଅଭିଯୁକ୍ତ ଗୋପାଳର ନାର୍କୋ ଟେଷ୍ଟ

ଝାରସୁଗୁଡା(କେନ୍ୟୁଜ୍‌) : ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଆସନ୍ତାକାଲି ହେବ ନାର୍କୋ ଟେଷ୍ଟ। ଏହା ପୂର୍ବରୁ ଆଜି ତାର ଡାକ୍ତରୀ ଯାଞ୍ଚ ଶେଷ ହୋଇଛି। ଗୋପାଳକୁ ଟ୍ରୁଥ ସେରମ ଦିଆଯାଇ ନାର୍କୋ ଟେଷ୍ଟ କରାଯିବ। ଗୁଜରାଟ ଗାନ୍ଧୀନଗର DFSSରେ ନାର୍କୋ ଟେଷ୍ଟ କରାଯିବ। ଏଥିରେ ଗୋପାଳକୁ ବିଭିନ୍ନ ପ୍ରଶ୍ନ ପଚରାଯିବ । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ମିଛ କହିପାରିବ ନାହିଁ । ନାର୍କୋ ଟେଷ୍ଟ ବେଳେ ଦେଉଥିବା ଉତ୍ତରକୁ ସତ ବୋଲି ଧରାଯାଇଥାଏ ।

ଏହାପୂର୍ବରୁ ଗତକାଲି ଗୋପାଳର ପ୍ରଥମ ପର୍ଯ୍ୟାୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ବ୍ରଜରାଜନଗର JMFC କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଉଛି। ପୂର୍ବରୁ ଉଭୟ ଟେଷ୍ଟ ପାଇଁ ଗୋପାଳ ମଧ୍ୟ ସହମତି ପ୍ରକାଶ କରିଛି। ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ୮ ଜଣିଆ ଟିମ ଗୋପାଳକୁ ଝାରସୁଗୁଡ଼ାରୁ ଗୁଜରାଟ ନେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କ୍ୟାମ୍ପ କରି ଗାନ୍ଧିନଗରରେ ରହି ତଦାରଖ କରୁଛନ୍ତି ।