Below header

ବରଗଡ଼ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା

ଭୁବନେଶ୍ବର (କେନ୍ୟୁଜ୍‌) : ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା । ସ୍ଥାନୀୟ ଅର୍ଥନୀତି ତଥା ବଜାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆ ବର୍ଷରେ ବରଗଡ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଅନୁକୂଲ୍ୟରେ ଆସନ୍ତା ଜାନୁଆରୀ ୪ ଓ ୫ ତାରିଖରେ ବରଗଡ ଜିଲ୍ଲାରେ ହସ୍ତତନ୍ତ ସମ୍ମିଳନୀ ଆୟୋଜନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ।

ସମ୍ବଲପୁରୀ ଶାଢିର କାରିଗରୀ ବିଶ୍ବବିଦିତ । ପଶ୍ଚିମ ଓଡିଶାରେ ଥିବା ଅନ୍ୟ ହସ୍ତତନ୍ତ ଯଥା ବମକାଇ, ପଶାପାଲି ଓ ସମ୍ବଲପୁରୀ ବାନ୍ଧ, ସୋନପୁରୀ ଶାଢି, ହବସପୁରୀ, ଇକତ୍, ଆଦି ହସ୍ତତନ୍ତଶିଳ୍ପ ଓ ବୁଣାକାରମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବସ୍ତ୍ରର ଚାହିଦା ରହିଛି । ଆଞ୍ଚଳିକ ସ୍ତରରେ ବୁଣାକାର, ବିକ୍ରେତା, କ୍ରେତା ଆଦିଙ୍କୁ ଏକାଠି କରିବା, ସେମାନଙ୍କୁ ନୂତନ ଜ୍ଞାନ କୌଶଳ ସହ ପରିଚିତ କରାଇବା, ବୁଣାକାରଙ୍କୁ ସଶକ୍ତ କରିବା ପାଇଁ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯିବ ବୋଲି ଅସିତ୍‌ ତ୍ରିପାଠୀ କହିଛନ୍ତି । ଏ ନେଇ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଭାଷୀ ମାଧ୍ୟମରେ ଯୋଗ ଦେଇ ସମ୍ମିଳନୀର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ପଶ୍ଚିମ ଓଡିଶାରେ ପ୍ରାୟ ୮୪ ହଜାର ୫ ଶହ ବୁଣାକାର ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୮ ହଜାର ୫ ଶହ ମହିଳା ବୁଣାକାର । ଏହି ଦୁଇ ଦିନିଆ ସମ୍ମିଳନୀରେ ସ୍ଥାନୀୟ ବୁଣାକାରଙ୍କ ସମେତ ଜାତୀୟସ୍ତରରେ ଖ୍ୟାତାନାମା ଟ୍ରେନର୍, ମାଷ୍ଟର୍, ହସ୍ତଶିଳ୍ପୀ ଯୋଗ ଦେବେ । ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା, ମଣିପୁର, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟର ହସ୍ତଶିଳ୍ପୀଙ୍କୁ ନେଇ କର୍ମଶାଳା ଆୟୋଜନ କରାଯିବା ସହ ଷ୍ଟଲ ମାଧ୍ୟମରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ହସ୍ତକଳାକୁ ପ୍ରଦର୍ଶନ କରିପାରିବେ ।

ଏହା ସହ ସୁପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କୁ ନେଇ ଦୁଇ ଦିନ ଧରି ଫ୍ୟାସନ୍ ଶୋ’ର ଆୟୋଜନ କରାଯିବ । ସମ୍ମିଳନୀରେ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ କରାଯିବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଅଧିକାରୀମାନେ ଯୋଗ ଦେଇଥିବା ବେଳେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.