କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା: କଳାଜିରା,ଚାଉଳ ଓ ହଳଦିରୁ ପ୍ରସ୍ତୁତ ସାବୁନ ସହିତ କୋଟିଆ ଝାଡ଼ୁ ଲୋକଙ୍କୁ କରୁଛି ଆକୃଷ୍ଟ

କୋରାପୁଟ(କେନ୍ୟୁଜ୍) : କୋରାପୁଟ ରେଳବାଇ ପଡିଆରେ ଜାତୀୟ ପଲ୍ଲୀଶ୍ରୀ ମେଳା ଶୁଭାରମ୍ଭ ହୋଇଯାଇଛି। ଏଥିରେ କୋଟିଆ ଝାଡ଼ୁ,କୋଟପାଡ ଗୁଡ,ସହ କୋରାପୁଟ ଜିଲ୍ଲାର କଳାଜିରା ଚାଉଳ, ହଳଦୀ ଓ ଗୋଲମରିଚ ମୁଖ୍ଯ ଆକର୍ଷଣ ପାଲଟିଛି। କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ମେଳାକୁ ଉଦଘାଟନ କରିଥିବା ବେଳେ କୋରାପୁଟ ଜିଲ୍ଲାପାଳ,ପିଡି ଡିଆରଡିଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

କରୋନା କଟକଣା ହଟିବା ପରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପଲ୍ଲୀଶ୍ରୀ ମେଳା। ଯାହାକୁ ନେଇ କୋରାପୁଟ ଏବେ ଚଳଚଞ୍ଚଳ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପଲ୍ଲିଶ୍ରୀ ମେଳା ୧୮ତାରିଖ ପର୍ଯ୍ଯନ୍ତ ଚାଲିବ।  ପଲ୍ଲିଶ୍ରୀ ମେଳାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି । ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା ।
ଓଡିଆ ନବ ବର୍ଷ ଓ ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳାରେ ମୁଖ୍ଯଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପୋଡାଲ ଓ ସମ୍ମନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେଇ ଓରମାସର ପଦକ୍ଷେପକୁ ପ୍ରସଂଶା କରିଥିଲେ । କଳାକାରମାନେ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି ।

ପଲ୍ଲିଶ୍ରୀ ମେଳାରେ ଓରମାସ ପକ୍ଷରୁ ୨୦୦ଟି ଷ୍ଟଲ୍‌ ଖୋଲା ଯାଇଥିବା ବେଳେ ଜିଲ୍ଲା ଏବଂ ରାଜ୍ଯର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ସାମଗ୍ରୀ ହସ୍ତତନ୍ତ ଓ ହସ୍ତଶିଳ୍ପ ସହ ଘରକରଣା ଏବଂ ଭଳିକି ଭଳି ସ୍ବାଦିଷ୍ଟ ଖାଦ୍ୟର ପସରା ଲୋକଙ୍କ ମନ ମହୁଛି। ଗତକାଲି ପ୍ରଥମ ସନ୍ଧ୍ଯାରେ ସ୍ଥାନୀୟ କଳାକାର ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଲୋକେ ଭରପୁର ଆନନ୍ଦ ନେଇଥିଲେ। ପଲ୍ଲୀଶ୍ରୀ ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.