ହକି ପାଇଁ ଖୋଲିଲା ଭବିଷ୍ୟତର ରାସ୍ତା, ଟାଟା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଉଦ୍‌ଘାଟିତ ହେଲା ହକି ପ୍ରଶିକ୍ଷଣ ଏକାଡେମୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ନାଭାଲ୍‌ ଟାଟା ହକି ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦଘାଟନ କରିଛନ୍ତି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ହକି ଏକାଡେମୀ ପ୍ରତିଷ୍ଠା କରାଯାଇଛି। ଏଠାରେ ହକି ପ୍ରଶିକ୍ଷଣ ପାଇଁ ଉଚ୍ଚ ମାନର ପ୍ରଦର୍ଶନ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ହକି ପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଏହି ଏକାଡେମୀ ସହାୟକ ହେବ।
ରାଜ୍ୟରେ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ତିନି ସୂତ୍ରୀ ରଣନୀତି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, ସୁନ୍ଦରଗଡ଼ ଓ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରବାସକୁ ଆଞ୍ଚଳିକ ବିକାଶ କେନ୍ଦ୍ରରେ ପରିଣତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ରୁ ୨୦ଟି ତୃଣମୂଳ ସ୍ତରରୁ ପ୍ରତିଭା ଅନେ୍ଵଷଣ କେନ୍ଦ୍ର ଖୋଲାଯିବ । ଚୟନ ପରେ ପ୍ରତିଭାମାନଙ୍କୁ କ୍ରୀଡ଼ାଛାତ୍ରାବାସରେ ଗ୍ରହଣ କରାଯିବ । ସେଠାରେ ଟାଟା ଟ୍ରଷ୍ଟ ଓ ଟାଟା ଷ୍ଟିଲର ବିଶେଷଜ୍ଞମାନେ ଆରଡିସିଗୁଡ଼ିକ ସହ ମିଶି ଦକ୍ଷତା ଓ ଉତ୍କଷ୍ଟତା ବଢ଼ାଇବେ।
ଉଦଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ ଏମ୍‌ଡି ଓ ସିଇଓ ଟି. ଭି. ନରେନ୍ଦ୍ରନ୍‌, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଟାଟା ଟ୍ରଷ୍ଟ ଉପଦେଷ୍ଟା ବୁଜରିସ ତାରାପୋରବାଲା କହିଛନ୍ତି ଏହାଦ୍ୱାରା ଯୁବ ଖେଳାଳିଙ୍କ ଦକ୍ଷତାର ବିକାଶ ସମେତ ଉଚ୍ଚ ପ୍ରଦର୍ଶନ କୋଚିଂର ମଧ୍ୟ ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.