ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ଯମନ୍ତ୍ରୀ ନବୀନ : ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଦାବି

ଭୁବନେଶ୍ବର(କେନ୍ଯୁଜ୍) :ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବ୍ରହ୍ମପୁରରୁ ସୁରଟକୁ ଦୈନିକ ଦୁଇଟି ଟ୍ରେନ୍‌ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ବହୁ ଓଡ଼ିଆ କାମ କରୁଛନ୍ତି । ବିଶେଷ କରି ଗଞ୍ଜାମ ଜିଲ୍ଲାର ବହୁ ଲୋକ ସେଠାକାର ବିଭିନ୍ନ ସୂତାକଳ, ଡାଇମଣ୍ଡ କଟିଂ ଭଳି କାମରେ ନିୟୋଜିତ ଅଛନ୍ତି ।

ଦକ୍ଷିଣ ଓଡ଼ିଶାର ପାଖାପାଖି ୭ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି ସୁରଟରେ । ସେମାନଙ୍କ ସୁବିଧା ପାଇଁ ପ୍ରତିଦିନ ବ୍ରହ୍ମପୁର-ସୁରଟ ମଧ୍ୟରେ ଟ୍ରେନ୍‌ ଚଳାଚଳର ଆବଶ୍ୟକତା ରହିଛି । ବର୍ତ୍ତମାନ ବ୍ରହ୍ମପୁରରୁ ସିଧାସଳଖ ସୁରଟକୁ କୌଣସି ଟ୍ରେନ୍‌ ଚଳାଚଳ କରୁ ନାହିଁ । କେବଳ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ସପ୍ତାହକୁ ଚାରି ଦିନ ଯାଉଥିବା ବେଳେ ପୁରୀ-ଓଖା ଏକ୍ସପ୍ରେସ ଓ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ ସପ୍ତାହକୁ ଦିନେ ଚଳାଚଳ କରୁଛି । ଏସବୁ ଟ୍ରେନ୍‌ଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ବେଳେ ଗନ୍ତବ୍ୟ ସ୍ଥଳ ବି ଅଲଗା ।

ତେଣୁ ବ୍ରହ୍ମପୁରରୁ ସୁରଟ ଯାଉଥିବା ଯାତ୍ରୀ ବେଶ ହଇରାଣ ହେଉଛନ୍ତି । ସେମାନଙ୍କ ସୁବିଧା ପାଇଁ ଦୈନିକ ଦୁଇଟି ଟ୍ରେନ ପାଇଁ ରେଳମନ୍ତ୍ରୀଙ୍କ ନିକଟକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶା ଲୋକଙ୍କ ଏହି ଦାବିକୁ ବ୍ୟକ୍ତିଗତ ଭାବରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.