Below header

କିଏ ପୂର୍ଣ୍ଣକାଳୀନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇବେ ? ପଶ୍ଚିମଓଡ଼ିଶାର ଜଣେ ନେତାଙ୍କୁ କରା ଯାଇପାରେ ବୋଲି ଚର୍ଚ୍ଚା

ରୋହିତ ପୂଜାରୀ ପଶ୍ଚିମଓଡ଼ିଶାର । ତେଣୁ ତାଙ୍କ ସ୍ଥାନରେ ପଶ୍ଚିମଓଡ଼ିଶାର ଜଣେ ନେତାଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ କରା ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ରେସ୍‌ରେ ଅଛନ୍ତି ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ ଓ ଦେବେଶ ଆଚାର୍ଯ୍ୟ ।

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ବର୍ତ୍ତମାନ ସମବାୟ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଛନ୍ତି । ଏଥିସହ ସେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହାପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାକୁ ସୁଚାରୂଭାବେ ତୁଲାଇବେ ।

ପୂର୍ବରୁ ଗତ ମେ ୧୨ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ଦାସ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ଏହାପରେ ସେମାନଙ୍କ ସ୍ଥାନରେ ଦୁଇ ଭେଟେରାନଙ୍କୁ ଦାୟିତ୍ୱ ମିଳିଥିଲା । ଗତ ୨୨ ତାରିଖରେ କ୍ୟାବିନେଟ ମନ୍ତ୍ରୀ ଭାବେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ଶପଥ ନେଇଥିଲେ । ବିକ୍ରମକୁ ଅର୍ଥ, ସୁଦାମଙ୍କୁ ଗଣଶିକ୍ଷା ଓ ସାରଦାଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି । ଏବେ ରୋହିତ ଆଉଟ୍‌ ପରେ ତାଙ୍କ ସ୍ଥାନରେ କିଏ ଇନ୍‌ ହେବେ ? କିଏ ପୂର୍ଣ୍ଣକାଳୀନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇବେ ? ଆଗକୁ ଯଦି ନବୀନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରାସରଣ ହୁଏ ତେବେ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

ରୋହିତ ପୂଜାରୀ ପଶ୍ଚିମଓଡ଼ିଶାର । ତେଣୁ ତାଙ୍କ ସ୍ଥାନରେ ପଶ୍ଚିମଓଡ଼ିଶାର ଜଣେ ନେତାଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ କରା ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ରେସ୍‌ରେ ଅଛନ୍ତି ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ ଓ ଦେବେଶ ଆଚାର୍ଯ୍ୟ । ବରଗଡ଼ ଜିଲ୍ଲା ଭଟଲିରୁ ତିନି ଥର ବିଧାୟକ ହେଲେ ସୁଶାନ୍ତ ସିଂ। ପଶ୍ଚିମଓଡ଼ିଶାର ଜଣେ ହେଭିୱେଟ ନେତା, ବିଜେଡିର ଦୃଢ଼ ସଂଗଠନ । ପୂର୍ବରୁ ମଧ୍ୟ ମନ୍ତ୍ରୀ ପଦରେ ରହିଥିଲେ ।

ସେହିପରି ସ୍ନେହାଙ୍ଗିନୀ ବରଗଡ଼ ଜିଲ୍ଲା ଅତାବିରାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜଣେ ଟାଣୁଆ ମହିଳା ନେତ୍ରୀ । ଭଲ ସଂଗଠକ । ପୂର୍ବରୁ ମନ୍ତ୍ରୀ ଥିଲେ । ଦେବେଶ ଆଚାର୍ଯ୍ୟ ଦୁଇ ଥର ବିଧାୟକ । ରାଜନୈତିକ ପରିବାରରୁ ଆସିଥିବା ଦେବେଶ ଜଣେ ଦକ୍ଷ ନେତା ଓ ସଂଗଠକ । ତେଣୁ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ୨୨ ତାରିଖରେ ନୂଆ ମନ୍ତ୍ରୀ ଶପଥ ନେଲେ ।

ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା ଆରମ୍ଭ କରିଥିଲେ । ଆଉ ଏହାର ୩ ସପ୍ତାହରେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ମନ୍ତ୍ରୀ ପଦରେ ରହିବା ପାଇଁ କାର୍ଯ୍ୟଦକ୍ଷତା ହିଁ ବଡ଼ ମାପଦଣ୍ଡ । କାର୍ଯ୍ୟଦକ୍ଷତା ଠିକ୍‌ ନଥିଲେ ଆକ୍ସନ । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ଠିକ ଭାବେ ଦାୟିତ୍ୱ ନ ତୁଲାଇଲେ ଆକ୍ସନ ନିଆଯିବ ବୋଲି ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିବା କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.