ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଗୋପାଳପୁର ବନ୍ଦର, ନିଆଯାଉଛି ସମସ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଂକଟ ସମୟରେ ସ୍ୱାଭାବିକ ଭାବେ କାମ କରୁଛି ଗୋପାଳପୁର ବନ୍ଦର । ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାରି ରହିଛି । ତେବେ କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ଲାଗି ବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଜାହାଜ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶାବଳିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ବନ୍ଦର ଭିତରକୁ ଆସୁଥିବା ଜାହଜଗୁଡ଼ିକର ପରିଚାଳନା କରିବା ବେଳେ ନିୟମିତ ବ୍ୟବଧାନରେ ବନ୍ଦର ମନ୍ତ୍ରାଳୟ ତରଫରୁ ଜାରି କରାଯାଉଥିବା ଏସ୍ଓପିକୁ ମଧ୍ୟ ସଠିକ୍‌ ଭାବେ ପାଳନ କରାଯାଉଛି । କର୍ମକ୍ଷେତ୍ରରେ ସୁରକ୍ଷିତ ପରିବେଶ ଲାଗି ବନ୍ଦର ପରିସରରେ ଚବିଶ ଘଣ୍ଟା ନିଜସ୍ୱ ଏସ୍ଓପିକୁ ପାଳନ କରୁଛନ୍ତି ବନ୍ଦର କର୍ତ୍ତୃପକ୍ଷ ।
ଜାହାଜର ମାଲ ବୋଝେଇ ଅଂଚଳରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କର୍ମଚାରୀମାନଙ୍କ ନିମନ୍ତେ ସୋଡିୟମ ହାଇପୋକ୍ଲୋରାଇଟ୍ ବ୍ୟବହାର କରାଯାଉଛି । କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯିବା ସହ ସଚେତନ କରାଯାଉଛି । କରୋନା ଭୂତାଣୁ ବ୍ୟାପିବା ପରଠାରୁ ବନ୍ଦର ତରଫରୁ ସବୁ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

corona photo 2ଜାହଜରେ ରହି କରାଯାଉଥିବା ସବୁ ପ୍ରକାର କାର୍ଯ୍ୟ ଲାଗି ଶରୀରକୁ ସମ୍ପୂର୍ଣ୍ଣ ରୂପେ ସର୍ଜିକାଲ୍ ପ୍ରୋଟେକ୍ସନ ସୁଟ୍ ପିନ୍ଧି କରାଯାଉଛି । ବର୍ଥ ଅଂଚଳ, ରେଲୱେ ସାଇଡିଂ, ପାର୍କିଂ ୟାର୍ଡ, ମୁଖ୍ୟ ଫାଟକ ଏବଂ ଅନ୍ୟାନ୍ୟ ଅଂଚଳରେ କାର୍ଯ୍ୟ କରୁଥିବା ବନ୍ଦରର କର୍ମଚାରୀମାନଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ଓ ପରେ ଫେସମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜର୍ ଆଦି ପ୍ରଦାନ କରାଯାଉଛି ।
ନିଜର ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଏବଂ ପାରିପାର୍ଶ୍ୱିକ ଗ୍ରାମଗୁଡ଼ିକୁ ସୁରକ୍ଷିତ ଓ ସଂକ୍ରମଣ ମୁକ୍ତ ରଖିବା ସହ ଏକ ସୁସ୍ଥ ପରିବେଶ ଦେବାକୁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । କୋଭିଡ୍-୧୯କୁ ରୋକିବା ସହ ବନ୍ଦର କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁ ରଖାଯିବ ବୋଲି କର୍ତ୍ତୃପକ୍ଷ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.