ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ: ଓଡ଼ିଶାର ୩ଟି ରାଜ୍ୟସଭା ସିଟ୍‌ ପାଇଁ ଜୁନ ୧୦ରେ ଭୋଟ୍‌ ନିଆଯିବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଓଡ଼ିଶାର ୩ଟି ରାଜ୍ୟସଭା ସିଟ୍‌ ପାଇଁ ଜୁନ ୧୦ରେ ଭୋଟ୍‌ ନିଆଯିବ । ଜୁଲାଇ ୧ରେ ଏନ୍‌. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏମାନଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରେସ୍‌ । ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ଜିତିବା ନିଶ୍ଚିତ । କିଏ ରାଜ୍ୟସଭା ଯିବେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ସସ୍ମିତ ପାତ୍ରଙ୍କୁ ରିପିଟ୍‌ କରିବ କି ଦଳ ? ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା । ତାଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାରୁ କେହି ଯାଇପାରନ୍ତି ରାଜ୍ୟସଭା । ଏନ୍‌. ଭାସ୍କର ରାଓଙ୍କ ସ୍ଥାନରେ ଦକ୍ଷିଣ ଓଡ଼ିଶାରୁ ପ୍ରଦୀପ ମାଝୀଙ୍କୁ ରାଜ୍ୟସଭା ଟିକେଟ୍‌ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।

ସେହିଭଳି ବରିଷ୍ଠଙ୍କୁ ରାଜ୍ୟସଭା ପଠାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହି ତାଲିକାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଛନ୍ତି । ବିଜେଡି ନେତା ଅରୁପ ପଟ୍ଟନାୟକ, କଳିକେଶ ସିଂଦେଓଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିପାରେ ବିଜେଡି । OTDC ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ସୁସ୍ମିତା ବାଗଚୀଙ୍କୁ ପ୍ରାର୍ଥୀ କରିପାରେ ଦଳ । ସେହିଭଳି ମାନସ ମଙ୍ଗରାଜ, ଲେନିନ ମହାନ୍ତି, ବିଜୟ ନାୟକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ବେଳେ ସରପ୍ରାଇଜ୍‌ ଦେଇ ଆସିଛନ୍ତି ନବୀନ । ଚର୍ଚ୍ଚାରେ ନଥିବା ନେତାଙ୍କୁ ଟିକେଟ୍‌ ଦେଇଛନ୍ତି । ଏବେ ବିଜେଡି ସୁପ୍ରିମୋଙ୍କ ମାଷ୍ଟରଷ୍ଟ୍ରୋକ୍‌ ଉପରେ ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.