ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ୧୪ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ।

ନଭେମ୍ବର ୩ରେ ମତଦାନ ରହିଛି । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି । ତାରିଖ ଘୋଷଣା ସହ ଉପନିର୍ବାଚନ ଉଷ୍ଣତା ବଢ଼ିଛି । ତିନି ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ବିଜେପିରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ ଅଙ୍କକଷା ଚାଲିଛି । ଗତଥର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏଥର ଆଉ କାହାକୁ ପ୍ରାର୍ଥୀ ଦେବ ଦଳ, ସେନେଇ ଚାଲିଛି ବିଚାର ବିମର୍ଷ ।

ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଓ ଗତଥରର ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କ ନାଁ ଚର୍ଚ୍ଚା ହେଉଛି । ଏପଟେ ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କହିଛନ୍ତି ପୂର୍ବ ଉପ ନିର୍ବାଚନରେ ଯେମିତି ଲଢି ଆସିଛୁ । ଏ ନିର୍ବାଚନ ମଧ୍ୟ ସେମିତି ଲଢିବୁ । ପ୍ରାର୍ଥୀ ଚୟନ ନେଇ ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.