ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌, ଲାଗୁ ହେବ ଟୋକନ୍ ବ୍ୟବସ୍ଥା

କଟକ (କେନ୍ୟୁଜ୍) : ଏଣିକି ଆଉ ଆରଟିଓ ଅଫିସ୍‌ରେ ଲାଗିବନି ଲମ୍ବା ଲାଇନ୍‌ । କଟକ ସମେତ ୮ଟି ଆରଟିଓରେ ଲାଗୁ ହେବ ଟୋକନ ବ୍ୟବସ୍ଥା । ଏସ୍‌ଟିଏ ଓ ଏନ୍‌ଏସ୍‌ଆଇସି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି କାଗଜପତ୍ର, ଯେକୌଣସି କାମ ପାଇଁ ଟୋକନ୍‌ ଦିଆଯିବ । ଏହି ଟୋକନ୍‌ ମିଳିବା ପରେ ଆବେଦନକାରୀଙ୍କ କାମ କେତେବେଳେ ଆରମ୍ଭ ହେବ ସେନେଇ ମୋବାଇଲ୍‌କୁ ମେସେଜ୍‌ ଦିଆଯିବ । ସେହିପରି ଆବେଦନକାରୀ ପ୍ରତିକ୍ଷା ଗୃହରେ ଅପେକ୍ଷା କରିଥିବା ବେଳେ ସେଠାରେ ଥିବା କମ୍ପ୍ୟୁଟର ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ ସୂଚନା ଦିଆଯିବ । ଫଳରେ ଜଣେ ବ୍ୟକ୍ତିଙ୍କ କ୍ରମିକ ନମ୍ବର କେତେବେଳେ ଆସିବ ତାହା ସ୍ପଷ୍ଟ ହେବ ।

ପ୍ରଥମେ ରାଜ୍ୟର କଟକ ସମେତ ୮ଟି ଆରଟିଓରେ ଏହି ଟୋକନ୍‌ ବ୍ୟବସ୍ଥା ଲାଗୁ କରାଯିବ । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର-୧, ଭୁବନେଶ୍ୱର-୨, କଟକ, ଗଞ୍ଜାମ ଓ ପୁରୀରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ ହେବ । ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ଲୋକଙ୍କୁ ଏଭଳି ସୁବିଧା ମିଳିପାରିବ । ଏଥିପାଇଁ ୨ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏଭଳି ବ୍ୟବସ୍ଥା ଦ୍ୱାରା ଆରଟିଓରେ ଅଯଥା ଗହଳି କମିବ ଓ ଲୋକେ ସୁବିଧାରେ ସେବା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.