ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ: ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଓଢଣ ବା ପ୍ରାବରଣୋ ଷଷ୍ଠୀ। ଏହି ଅବସରରେ ଦେବ-ଦେବୀଙ୍କ ଘୋଡ଼ଲାଗି ଉତ୍ସବ। ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ହେବ। ଶୀତବସ୍ତ୍ର ପରିଧାନ କରିବେ ଠାକୁର। ସାଧାରଣ ମାନବ ପରି ମାନବୀୟ ଲୀଳା ଆଚରଣ କରୁଛନ୍ତି ମାହାପ୍ରଭୁ। ମହାପ୍ରଭୁଙ୍କର ଏହି ଲୀଳା ପ୍ରାବରଣୋ ଯାତ୍ରା ନାଁରେ ବିଦିତ।
ଏହି ପ୍ରାବରଣୋ ଉତ୍ସବ ବା ଓଢଣ ଷଷ୍ଠୀ ମାର୍ଗଶିର ଶୁକ୍ଳଷଷ୍ଠୀ ତିଥିରେ ପାଳିତ ହୋଇଥାଏ। ଓଢଣ ଷଷ୍ଠୀ ପୂର୍ବଦିନ ଏହାର ଅଧିବାସ ବିଧି ଅର୍ଥାତ କୁରାଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଓଢଣଷଷ୍ଠୀ ଦିନ ଶ୍ରୀଜୀଉଙ୍କ ସକାଳଧୂପ ଶେଷ ହୋଇ,ପ୍ରସାଦ ବାହାରି ପାଣି ପଡ଼ିଲାପରେ,ମହାପ୍ରଭୁଙ୍କ ମଇଲମ ହୋଇଥାଏ।
ଏହାପରେ ଗତ ଦିନରୁ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ଘୋଡ଼ ବା ଚାଦର ମାନଙ୍କୁ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ବଡଦେଉଳକୁ ତିନିବେଢ଼ା ପ୍ରଦକ୍ଷିଣ କରାଯାଇଥାଏ। ଏହାକୁ ଘୋଡ଼ବେଢ଼ା କୁହାଯାଏ। ଏହି ଘୋଡ଼ବେଢ଼ା ଶେଷହେବା ପରେ ଏହାକୁ ରତ୍ନସିଂହାସନକୁ ବିଜେ କରାଯାଏ। ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ ଘୋଡ଼ଲାଗି । ପ୍ରତିଦିନ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ ମହାପ୍ରଭୁ ।