Below header

ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଅନୁଗୁଳ(କେନ୍ଯୁଜ୍):ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ମୃତ୍ୟୁବରଣ କରିଥିବା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଓଡ଼ିଆ । ଅନୁଗୁଳ ତାଳଚେରର ବୀର ଓଡ଼ିଆ ରାଣା ପ୍ରତାପ ଦାସଙ୍କ ମୃତ୍ୟୁ ହୋଇଛି । ରାଣା ପ୍ରତାପ ବାୟୁସେନାରେ ଜୁନିଅର ଓ୍ଵାରେଣ୍ଟ ଅଫିସର ଭାବେ କାମ କରୁଥିଲେ । ୧୨ ବର୍ଷ ଧରି ସେ ବାୟୁସେନାରେ କାର୍ଯ୍ୟରତ ଥିଲେ । ରାଣା ପ୍ରତାପଙ୍କ ନିଧନ ଖବର ପରେ ତାଙ୍କ ଗାଁ କୃଷ୍ଣଚନ୍ଦ୍ରପୁରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତାଙ୍କ ପତ୍ନୀ ଶିବାଙ୍ଗୀ ସିଂ ମଧ୍ୟ ବାୟୁସେନାରେ ଡେଣ୍ଟିଷ୍ଟ ଭାବେ କାର୍ଯ୍ୟରତ। ରାଣାପ୍ରତାପଙ୍କ ଦେହାନ୍ତ ପରେ ସେ ବିହାରରୁ ଆସୁଥିବା ଜଣାପଡ଼ିଛି। ସେପଟେ ରାଣାଙ୍କ ବାପା ଜଣେ ହୃଦରୋଗୀ ଓ ମାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ ଘଟଣା ସଂପର୍କରେ ଜଣାଯାଇନାହିଁ। ଗତକାଲି ତାମିଲନାଡୁର କନ୍ନୁରରେ ହେଲିକପ୍ଟର କ୍ରାସ ଘଟଣାରେ ସିଡିଏସ ଜେନେରାଲ ବିପିନ ରାଓ୍ଵତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ଗତକାଲି ତାମିଲନାଡୁ କୁନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣାରେ ୧୩ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଥିଲା । ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମିଳିଥିବା ଆହତ କିମ୍ବା ମୃତ ଶରୀର ଗୁଡିକର ପ୍ରାୟ ଅଶୀ ପ୍ରତିଶତ ପୋଡ଼ି ଯାଇଥିବା ନେଇ ସୂଚନା ମିଳିଥିଲା ।

କିଛି ସମୟ ଭିତରେ ସିଡିଏସ ବିପିନ ରାବତ ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲା ବାୟୁସେନା । ବିପିନଙ୍କ ପତ୍ନୀ ମଧୁଲିକାଙ୍କର ବି ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ନ ସମୟରେ ଏହି ତାମିଲନାଡୁ କୁନ୍ନୁରରେ ଏକ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣାରେ ପ୍ରଥମେ ୪ ଜଣ ପରେ ୧୧ ଜଣ ଓ ତା ପରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା ।

ତେବେ ସୂଚନା ମୁତାବକ, ଆଜି ସଂଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀର । ବିପିନ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର । ଆଜି ହେଲିକପ୍‌ଟର ଦୁର୍ଘଟଣା ନେଇ ସଂସଦରେ ବିବୃତ୍ତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାମିଲନାଡୁରେ ବାୟୁସେନା ହେଲିକପ୍ଟର କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାର ଘଟିଲା ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.