ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ରାଜ୍ୟ ସରକାର ଘୋଷଣା କଲେ ବଳରାମ ଯୋଜନା, ପ୍ରାୟ ୭ଲକ୍ଷ ଚାଷୀଙ୍କୁ ଋଣ ଯୋଗାଇବାକୁ ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ): ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ବଳରାମ। ଏହି ଯୋଜନାରେ ପ୍ରାୟ ୭ଲକ୍ଷ ଚାଷୀଙ୍କୁ ଋଣ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଜଏଣ୍ଟ ଲାଏବିଲିଟି ଗ୍ରୁପ ମାଧ୍ୟମରେ ଋଣଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ରାଜ୍ୟସ୍ତରରେ ଇମେଜ ଓ ଜିଲ୍ଲାସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଗ୍ରାମାଞ୍ଚଳ ଓ ଛୋଟ ଛୋଟ ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭ହଜାର ଶାଖା ଥିବା ଜଣାପଡ଼ିଛି। ପ୍ରତି ବ୍ୟାଙ୍କର ଶାଖାକୁ ଚଳିତବର୍ଷ ଅତିକମ୍‌ରେ ୧୦ଟି ଜେଏଲଜିକଙ୍କୁ ଋଣ ଦେବା ପାଇଁ କୁହାଯାଇଛି।

balaram yojna

ଗୋଟିଏ ଗ୍ରୁପରେ ପ୍ରାୟ ୫ଜଣ ଚାଷୀ ରହିବେ। ବର୍ଷକୁ ସାଢେ ୩ଲକ୍ଷ ଟଙ୍କା ହିସାବରେ ଦୁଇବର୍ଷରେ ପ୍ରାୟ ୭ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତି ଗ୍ରୁପ ଏକ ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। କୃଷକ ସାଥି ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ ଗଠନ କରି ସେମାନଙ୍କୁ ବ୍ୟାଙ୍କ ମାନଙ୍କ ସହ ସଂଯୋଜିତ କରିବେ। ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ। ଏହାର ସୁଧହାର ଓ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.