ଭୁବନେଶ୍ବର: କର୍ତ୍ତବ୍ୟନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ହେଲେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ ସ୍ବାଇଁ, ଛୁଟିଲା ଅଭିନନ୍ଦନର ସୁଅ

ଭୁବନେଶ୍ବର(କେନ୍ୟୁଜ୍): ବର୍ତ୍ତମାନର କିଛି ପୋଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଜନ ସାଧରଣଙ୍କର ଯେପରି ମନୋଭାବ ରହିଛି ସେଥିରେ ପୋଲିସଙ୍କୁ କେହି ପ୍ରଶଂସା କରୁଥିବାର ଦେଖିବାକୁ  ମିଳୁନାହିଁ। ବିଶେଷ କରି ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ପୋଲିସ ଯେପରି ଟ୍ରାଫିକ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଫାଇନ ଆଦାୟ କରୁଥିଲା ସେଥିରେ ଅନେକ ଲୋକଙ୍କର ପୋଲିସ ପ୍ରତି ମନରେ ବିତୃଷ୍ଣା ଭାବ ଆସିଥିଲା। କିନ୍ତୁ ଯେତେବେଳେ ସରକାର ୫-ଟି ଯୋଜନା ପ୍ରଚଳିତ କଲେ ସେବେଠାରୁ ପୋଲିସ ମାନଙ୍କ ଆଚରଣରେ  ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।

ଲୋକଙ୍କ ନିକଟତର ହେବା ପାଇଁ ରାଜ୍ୟ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ  ପୋଲିସ ଏବେ ସକ୍ରିୟ ହୋଇ ଉଠିଛି। ଯାହାର ଜ୍ବଳନ୍ତ ଉଦାହାରଣ ହେଉଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ  ଅରୁଣ କୁମାର  ସ୍ବାଇଁ। ଅରୁଣ କେବଳ କର୍ତ୍ତବ୍ୟ ନୁହେଁ ବରଂ କମିଶନରେଟ ପୋଲିସର  we care , we  dare ନାରାକୁ  ସଫଳ କରିଛନ୍ତି। ଯେଉଁଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ  ଟ୍ବିଟ ଜରିଆରେ ଅରୁଣଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ କଣ ପାଇଁ କଲେ  ପ୍ରଶଂସା?

ଗତକାଲି ଆଇ.ଆଇ.ସି ଅରୁଣ ସ୍ବାଇଁ ୟୂନିଟ-୮ ରିଜିଓନାଲ ପାସପୋର୍ଟ ଅଫିସ ନିକଟ ଦେଇ ଏକ ଭି.ଆଇ.ପି ଡ୍ୟୁଟିରେ  ଯାଉଥିଲେ । ପାସପୋର୍ଟ ଅଫିସ ନିକଟ ଏକ ଜାଗାରେ ଅଭୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ  ବିଜୟ ସେଠୀ  ଓ ସ୍ମୃତି ରଞ୍ଜନ ସେଠୀ ନାମକ ଦୁଇଭାଇ  ସ୍ପଷ୍ଟ ଦିବାଲୋକରେ ଛୁରା ମାଡ କରି ଦୌଡ଼ି ପଳାଉଥିଲେ। ଏହା ଦେଖି ଆଇଆଇସି ସିଧା ନିଜ ଗାଡିରୁ ଡେଇଁ ଉଭୟ ଅଭିଯୁକ୍ତଙ୍କୁ ଗୋଡାଇ ଥିଲେ। କିନ୍ତୁ ଆଇଆଇସି କେବଳ ବିଜୟ ସେଠୀକୁ ଧରିବାରେ ସଫଳ ହୋଇଥିବା ବେଳେ ସ୍ମୃତି ରଞ୍ଜନ ତାଙ୍କ ପଞ୍ଝାରୁ ଖସି ଯାଇଥିଲା।  ।

ଆଇଆଇସି ପିସିଆର ଡକାଇ ବିଜୟକୁ ଥାନାକୁ ନେବା ପରେ ଛୁରା ମାଡରେ ଗୁରୁତର  ଆହତ ହୋଇପଡିଥିବା ଅଭୟଙ୍କୁ ନିଜ ଡ୍ୟୁଟି ଗାଡିରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ପରେ ଅଭୟଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ଦେଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଅଭୟଙ୍କ ଘଟଣାକୁ ତଦନ୍ତ କରି ଏହା ଏକ  ବ୍ୟକ୍ତିଗତ ଶତୃତା କାରଣରୁ ହୋଇଥିବାର ଆଇଆଇସି  ଜାଣିବାକୁ ପାଇଥିଲେ ଏବଂ ଏହି ଘଟଣା ଘଟାଇ ଖସି ପଳାଇଥିବା ଅନ୍ୟ ଜଣେ ଅଭିଯୁକ୍ତ ସ୍ମୃତି ରଞ୍ଜନ ସେଠୀଙ୍କୁ  ନୟାପଲ୍ଲୀ ଗଡ଼ ସାହିରୁ ଧରିବାରେ ସଫଳ ହୋଇଥିଲେ। ଅରୁଣଙ୍କ ଏହି ସାହାସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ  ଆଜି ମୁଖ୍ୟମନ୍ତ୍ରୀଙ୍କ ତାଙ୍କୁ ଟ୍ବିଟ ଜରିଆରେ ପ୍ରଶଂସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.