ଆସିଲା ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ ; ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ମୋଟ ଘରୋଇ ଉତ୍ପାଦ ୧୦.୧% ରହିବା ଅନୁମାନ

ଭୁବନେଶ୍ୱର (କେନ୍ୟୁଜ): ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଅଭିବୃଦ୍ଧି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ମୋଟ ଘରୋଇ ଉତ୍ପାଦ ୧୦.୧ ପ୍ରତିଶତ ରହିବା ନେଇ ଅର୍ଥନୈତିକ ସର୍ଭେରେ ଆକଳନ କରାଯାଇଛି। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ରିପୋର୍ଟ ମୁତାବକ ଦେଶର ଅନ୍ୟ ଦ୍ରୁତ ବିକାଶଶୀଳ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଗତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନ ମାଇନସ -୫.୩ ପ୍ରତିଶତ ଥିଲା। କୋଭିଡ୍‌ ପ୍ରଭାବ ସତ୍ୱେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୧୦.୧ ପ୍ରତିଶତ ରହିବ। ଦେଶର ଅଭିବୃଦ୍ଧିଠାରୁ ଏହା ଅଧିକ। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି।

ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ଡବଲ ଡିଜିଟରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୬.୮ ପ୍ରତିଶତ ବୃଦ୍ଧି ହୋଇଛି। ଗତ ଆର୍ଥିକ ବର୍ଷରେଏହା ମାଇନସ ୦.୯ ପ୍ରତିଶତ ରହିଥିଲା। ଦେଶରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ମୁଣ୍ଡପିଛା ଆୟ ୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ରାଜ୍ୟରେ ଏହା ୧୧. ୬ ପ୍ରତିଶତ ରହିଛି। ଅର୍ଥାତ ଦେଶର ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ତୁଳନାରେ ରାଜ୍ୟର ବୃଦ୍ଧି ହାର ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ନକରାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ମାଇନସ ୩.୪ ପ୍ରତିଶତ ରହିଛି। ଗତ ଆର୍ଥିକ ବର୍ଷରେ ଏହା ଥିଲା ୭.୪ ପ୍ରତିଶତ। ମାନୁଫେକ୍‌ଚରିଂ କ୍ଷେତ୍ରରେ ଅଧିକ ଉନ୍ନତି ଦେଖିବାକୁ ମିଳିଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୧୪.୩ ପ୍ରତିଶତ ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୮.୪ ପ୍ରତିଶତ ରହିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.