କରୋନା ମୁକାବିଲା ପାଇଁ ସହରାଞ୍ଚଳରେ ନିର୍ମାଣ ହେବ କ୍ବାରେଣ୍ଟାଇନ ସେଣ୍ଟର, ସମସ୍ତ ମହାନଗର ନିଗମକୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମାରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ. ଆଶ୍ରୟ ଗୃହ  କିମ୍ବା ସେହିଭଳି ଘରୋଇ ଓ ସରକାରୀ  କୋଠାଗୁଡିକରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲିବା ଲାଗି କୁହାଯାଇଛି। ଏହି ସବୁ କୋଠାରେ ଯେଭଳି ନିୟମିତ ବିଜୁଳି ଯୋଗାଣ ସହିତ ଜେନେରେଟର ସେଟ, ଜଳଯୋଗାଣ ଆଦି ରହିବ।

ଏହି କେନ୍ଦ୍ରଗୁଡିକୁ ଲୋକ ଯୋଗାଇଦେବା ଲାଗି ସେବା ଯୋଗାଣକାରୀ ସଂସ୍ଥା ଗୁଡିକ ତୁରନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ କୋଠା ଠିକଣା ଭାବେ ପରିସ୍କାର ପରିଛନ୍ନତା ସହିତ ସାନିଟାଇଜ କରିବାକୁ କୁହାଯାଇଛି। କ୍ବାରେଣ୍ଟାଇନ ସେଣ୍ଟରଗୁଡିକର ଠିକଣା ପରିଚାଳନା ସହିତ ସୁରକ୍ଷା କର୍ମୀ ଓ ସେବା ଯୋଗାଣକାରୀଙ୍କୁ ମୁତୟନ ଲାଗି ସରକାର କହିଛନ୍ତି । ପ୍ରତ୍ୟେକ ୱାର୍ଡ ଅଫିସରମାନଙ୍କୁ ସେମାନଙ୍କ ଇଲାକାର ସର୍ଭିଲାନ୍ସ ଅଫିସର ଭାବେ ବିବେଚନା କରାଯିବ। ଏହି ଅଫିସର ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ରକ୍ଷାକରି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ।

    • ପୌରାଞ୍ଚଳରେ ଥିବା ସ୍ବାସ୍ଥ୍ୟ ସାଥୀମାନଙ୍କୁ ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ମୁତୟନ କରାଯିବା ସଙ୍ଗେ ସଙ୍ଗେ ବିଗତ ୧୫ ଦିନ ମଧ୍ୟରେ ଯଦି  ସହରକୁ କୌଣସି ବ୍ୟକ୍ତି ବିଦେଶରୁ ଆସିଥାନ୍ତି ସେମାନଙ୍କ ସଂକ୍ରାନ୍ତରରେ ପୌର ଅଧିକାରୀଙ୍କୁ ଖବର ଦେବାକୁ କୁହାଯାଇଛି।
    • ପୂର୍ବରୁ ଦୁଇଦିନ ମଧ୍ୟରେ ଶୌଚାଳୟ ଓ ଆଧାର କେନ୍ଦ୍ର ଲାଗି ୱାଟର ଜେଟିଂ ମେସିନ ଖରିଦ ଲାଗି କୁହାଯାଇଥିଲା। ବର୍ତ୍ତମାନ ଏହି ସବୁ ଇଲାକାରେ ପରିସ୍କାର ପରିଛନ୍ନ ଉପରେ ଗୁରୁତ୍ବ ଦିଆଯାଇଛି।
    • ସେହିପରି ଧୂଆଁ ଛାଡିବା ଓ ସିଞ୍ଚନ ଯନ୍ତ୍ର ନିୟମିତ ଭାବେ ବ୍ୟବହାର କରିବାକୁ କୁହାଯାଇଛି। ଆବଶ୍ୟକତା ମେଣ୍ଟାଇବା ଲାଗି ପର୍ଯ୍ୟାପ୍ତ ପରିମାଣରେ ମେସିନ କିଣିବାକୁ କର୍ତ୍ତୃପକ୍ଷ କହିଛନ୍ତି।
    • ସହରରେ ଥିବା ସମସ୍ତ ଗୋଷ୍ଠୀ ପାଇଖାନାଗୁଡିକୁ ବ୍ୟବହାର ଯୋଗ୍ୟ କରିବାକୁ କୁହାଯାଇଛି। ଏଗୁଡିକୁ ରଙ୍ଗ ମାରିବା ସହିତ ଜଳଯୋଗାଣ, ବିଦ୍ୟୁତ ଏବଂ ଶୌଚାଳୟ ହାତ ଧୋଇବା ଲାଗି ସାବୁନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

  • ସହରରେ ଥିବା ସମସ୍ତ ପାର୍କ ଦିନ ୨ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନ କରିବା ଲାଗି ଆଇଇସି ଅଭିଯାନ ନିୟମିତ ଭାବେ ଚଳେଇବାକୁ କୁହାଯାଇଛି।
  • କୌଣସି କ୍ଷେତ୍ରରେ ମିଥ୍ୟା କିମ୍ବା କପୋଳକଲ୍ପିତ ଖବର ସୋସିଆଲ ମିଡିଆ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପ୍ରସାରିତ ହେଲେ ସେ ସଂକ୍ରାନ୍ତରେ ତୁରନ୍ତ କତ୍ତ୍‌ପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।
  • ପୌରାଞ୍ଚଳ ଗୁଡିକୁ ଆବଶ୍ୟକ ସ୍ଥଳେ ସ୍ଥିତିକୁ ଦ୍‌ଷ୍ଟିରେ ରଖି ଅର୍ଥ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେହିଭଳି ପୌରାଞ୍ଚଳରେ ସମସ୍ତ ପ୍ରକାରର ଜନସମାଗମକୁ ନିଷେଧ କରାଯାଇଛି।
  • ପୌର ଅଧିକାରୀମାନେ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରିବାକୁ ରାଜ୍ୟ ସରକାର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.