ସ୍ବେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ତଥ୍ୟ ମାଗିଲେ ହାଇକୋର୍ଟ

ରାଜ୍ୟର ସମସ୍ତ ଏନଏସି ଓ ମ୍ୟୁନିସପାଲିଟରେ ନିୟୋଜିତ ସ୍ୱରେଜ ସଫେଇ କର୍ମଚାରୀଙ୍କୁ କାମରେ ଲଗାଉ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏସଓପି ଲାଗୁ କରାଯାଉଛି କି ନାହିଁ ସେ ସମ୍ପର୍କରେ ଅନ୍ୟ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

କଟକ(କେନ୍ୟୁଜ୍): ସ୍ବେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟିବା ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କଟକ, ଭୁବନେଶ୍ୱରରେ ଯେଉଁ ଶ୍ରମିକଙ୍କ ମୃତ୍ୟୁ ଘଟିଛି, ସେଥିପାଇଁ ଦାୟୀ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇ ନାହିଁ ଓ ସେମାନଙ୍କ ନାମରେ କାହିଁକି ଚାର୍ଜସିଟ ଦାଖଲ ହୋଇ ନାହିଁ, ସେ ସମ୍ପର୍କରେ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରି ଏହି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ଏନଏସି ଓ ମ୍ୟୁନିସପାଲିଟରେ ନିୟୋଜିତ ସ୍ୱରେଜ ସଫେଇ କର୍ମଚାରୀଙ୍କୁ କାମରେ ଲଗାଉ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏସଓପି ଲାଗୁ କରାଯାଉଛି କି ନାହିଁ ସେ ସମ୍ପର୍କରେ ଅନ୍ୟ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି କାମ ପାଇଁ ଚୁକ୍ତି ଭିତ୍ତିରେ ଆଉଟ ସୋର୍ସିଙ୍ଗ ସଂସ୍ଥା ନିୟୋଜିତ ହେଉଥିବା ବେଳେ ସେମାନେ ଏହାର ଅନୁପାଳନ କରୁଛନ୍ତି କି ନାହିଁ ତାହା ସତ୍ୟପାଠରେ ଉଲ୍ଲେଖ କରିବାକୁ କୁହାଯାଇଛି। ମେ ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଆମିକସ୍ କ୍ୟୁରୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ଏହି ମାମଲା ପରିଚାଳନା କରୁଛନ୍ତି। ପୂର୍ବରୁ ୱାଟର କର୍ପୋରେସନ୍ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ କଟକର ସିଡିଏରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିଛି। ଏହି ଘଟଣାରେ ଆହତ ଜଣଙ୍କୁ ଠିକା ସଂସ୍ଥା ୨ ଲକ୍ଷ ଟଙ୍କା ଦେଇଛି।

ଅନ୍ୟପକ୍ଷରେ ଭୁବନେଶ୍ବରରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମକଙ୍କ ଘର ମୟୂରଭଞ୍ଜ ଓ ଝାଡଖଣ୍ଡ ହୋଇଥିବା ବେଳେ କ୍ଷତିପୂଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି। ସେହଭଳି ଭାବେ ୱାଟର କର୍ପୋରେସନ୍ ପକ୍ଷରୁ ଦୁଇ ପୀଡିତ ପରିବାର ପାଇଁ ଯଥାକ୍ରମେ ୫ ଲକ୍ଷ ଓ ୧ ଲକ୍ଷ ୨୬ହଜାର ଟଙ୍କା ଅଦାଲତରେ ଜମା କରାଯାଇଛି। ୨୦୨୧ ମାର୍ଚ୍ଚ ୧୯ରେ ଭୁବନେଶ୍ୱର ବଡ଼ଗଡ଼ ବ୍ରହ୍ମେଶ୍ୱର ବାଗ ଏବଂ ୨୦୨୧ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର ୧୦ରେ ଘଟିଥିଲା ଦୁଇଟି ଅଘଟଣ। ସ୍ୱରେଜ ଲାଇନରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକ କାମ କରୁଥିଲେ।

ଭୁବନେଶ୍ୱରରେ ଦୁଇଜଣ ଶ୍ରମିକ ଓ କଟକରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିବା ସହ ନିଜ ଆଡୁ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଛନ୍ତି। ତେବେ ଅଛୁଆଁ ସହିତ ହାତରେ ମଇଳା ସଫେଇ ଭଳି ପ୍ରଥା ସ୍ବାଧୀନତା ପରେ ବନ୍ଦ ହୋଇଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ପ୍ରଥା ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିଲା। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅନୁସାରେ ବିଗତ ୫ ବର୍ଷ ଭିତରେ ଦେଶରେ ସ୍ବେ‌ରେଜ ଓ ସେପ୍ଟିକ ଟାଙ୍କି ସଫେଇ କାର୍ଯ୍ୟରେ ନିୟୋଜିତ ୩୪୦ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ଇଏମ୍‌ଏସ୍‌ସିଡିଏଲ୍‌ପି ଆଇନ, ୧୯୯୩ ଯଥେଷ୍ଟ ନଥିବା ବେଳେ ସରକାର ପିଇଏମଏସଆର ଆଇନ ୨୦୧୩, ଅକ୍ଟୋବର ୧ରୁ କାର୍ଯ୍ୟକାରୀ କରାଇଥିଲେ। କିନ୍ତୁ ଏହି ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଡା କଡ଼ି କରାଯାଉ ନଥବା ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଅଭିଯୋଗ ହୋଇଥିଲା। ଭୁବନେଶ୍ୱରରେ ଝାଡ଼ଖଣ୍ଡର ସୁନାରାମ ସର୍ଦାର ଓ ମୟୁରଭଞ୍ଜର ସିଲୁପ ବିରୁଆଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି କଟକରେ ତିନିକୋଣିଆ ବଗିଚାର ପି ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକ ମୃତ୍ୟୁ ବରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.