ବାରିପଦାରୁ ବିଏଆରସି : ଭାଭା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି

ମୁମ୍ବାଇ : ଭାଭା ଆଣବିକ ଗବେଷଣା କେନ୍ଦ୍ର (ବିଏଆରସି)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରସିଦ୍ଧ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି । ସେ ଆଜି ଆଣବିକ ଶକ୍ତି କମିଶନ୍‌ର ଅଧ୍ୟକ୍ଷ କେ.ଏନ୍‌ ବ୍ୟାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ତାଙ୍କର ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା ।
ବିଏଆରସି ଟ୍ରେନିଂ ସ୍କୁଲର ୨୬ତମ ବ୍ୟାଚ୍‌ ପ୍ରଶିକ୍ଷାର୍ଥୀ ଡ. ଅଜିତ ମହାନ୍ତି ୧୯୮୩ରେ ଏହାର ନ୍ୟୁକ୍ଲିୟର ଫିଜିକ୍‌ ବିଭାଗରେ ଯୋଗ ଦେଇଥିଲେ । ତାଙ୍କର ୩୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ନ୍ୟୁକ୍ଲିୟର ଫିଜିକ୍ସ ସମ୍ବନ୍ଧିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଖୁସି ପ୍ରକଟ କରି ଡ. ଅଜିତ କହିଛନ୍ତି ଯେ ମୁଁ ପୂର୍ବ ଭଳି ବିଶ୍ୱସ୍ତତା ଏବଂ ନିଷ୍ଠାର ସହ ବିଏଆରସି ପାଇଁ କାର୍ଯ୍ୟ କରି ଚାଲିବି । ଏହା ସହିତ ସବୁ କାମରେ ସହଯୋଗ ପାଇଁ ସେ ନିଜର ସିନିୟର ଓ ଜୁନିୟରମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ବିଶେଷ କରି ସିନିୟରମାନଙ୍କ ସହଯୋଗରୁ ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ୱ ଥିବା ପ୍ରକଳ୍ପ କାର୍ଯ୍ୟ ଶେଷ କରି ପାରିଥିଲେ ବୋଲି କହିଛନ୍ତି । ଡ. ମହାନ୍ତିଙ୍କ ତିନି ବର୍ଷ ପାଇଁ ଏହି ନିର୍ଦ୍ଦେଶକ ପଦବିରେ ନିଯୁକ୍ତି ଦିଆଯାଇଛି ।

ବାରିପଦାରୁ ବିଏଆରସି

ଡ. ଅଜିତ ମହାନ୍ତି ୧୯୫୯ ମସିହାରେ ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୯ରେ ବାରିପଦା ଏମ୍‌ପିସି କଲେଜରୁ ସ୍ନାତକ ପାସ୍‌ ପରେ ୧୯୮୧ରେ ରେଭେନ୍ସାରୁ ସ୍ନାତକୋତ୍ତର ପାସ୍‌ କରିଥିଲେ । ଏହାର ଦୁଇ ବର୍ଷ ପରେ ସେ ଭାବା ଆଣବିକ ଗବେଷଣା କେନ୍ଦ୍ର ବିଏଆରସିରେ ଯୋଗ ଦେଇଥିଲେ ।
ଡ. ମହାନ୍ତି ୧୯୮୮ରେ ଇଣ୍ଡିଆନ୍‌ ଫିଜିକାଲ ସୋସାଇଟି ତରଫରୁ ଶ୍ରେଷ୍ଠ ଯୁବ ବୈଜ୍ଞାନିକ ପୁରସ୍କାର, ୧୯୯୧ରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ତରଫରୁ ଯୁବ ବୈଜ୍ଞାନିକ ପୁରସ୍କାର ଲାଭ କରିଥିଲେ । ୨୦୦୧ରେ ତାଙ୍କୁ ଆଣବିକ ଶକ୍ତି ବିଭାଗ ପକ୍ଷରୁ ହୋମି ଭାଭା ବିଜ୍ଞାନ ଓ କାରିଗରୀ ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.