Below header

କଂଗ୍ରେସ ଓ ବିଜେପି ପ୍ରାର୍ଥୀ ତାଲିକାରେ ଓଲିଉଡ ଷ୍ଟାର, ଜିତିଲେ-ହାରିଲେ ରେକର୍ଡ

କଂଗ୍ରେସ ଓ ବିଜେପି ପ୍ରାର୍ଥୀ ତାଲିକାରେ ଓଲିଉଡ ଷ୍ଟାର । ଏଥର ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିବେ ଦୁଇ ଅଭିନେତା । କୋରେଇ ଆସନରୁ ଆକାଶ ଦାସ ନାୟକ ପ୍ରତିଦ୍ବନ୍ଦ୍ବିତା କରିବେ ।

କଂଗ୍ରେସ ଓ ବିଜେପି ପ୍ରାର୍ଥୀ ତାଲିକାରେ ଓଲିଉଡ ଷ୍ଟାର । ଏଥର ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିବେ ଦୁଇ ଅଭିନେତା । କୋରେଇ ଆସନରୁ ଆକାଶ ଦାସ ନାୟକ ପ୍ରତିଦ୍ବନ୍ଦ୍ବିତା କରିବେ । ପୂର୍ବରୁ ସେ ବିଜେଡି ଟିକେଟରେ କୋରେଇରୁ ବିଧାୟକ ହୋଇଥିଲେ । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରିଛି ବିଜେପି ।

ପୂର୍ବରୁ ଦୁଇ ଥର ସେ ବିଜେଡି ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ଜିତିଥିଲେ। ଏବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରିଛି । ସେହିପରି ଓଲିଉଡ ଅଭିନେତା ମନୋଜ ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ଲଢ଼ିବେ । କଂଗ୍ରେସ ତାଙ୍କୁ ସାଂସଦ ପ୍ରାର୍ଥୀ କରିଛି ।

ଗତ ୨୫ ବର୍ଷ ଭିତରେ ବହୁ ତାରକା ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ୨୦୦୦ ନିର୍ବାଚନରେ ବିଜେପି ଟିକେଟରେ ବେଗୁନିଆ ଆସନରୁ ପ୍ରଶାନ୍ତ ନନ୍ଦ ନିର୍ବାଚନ ଲଢି ଜିତିଥିଲେ । ୨୦୦୯ରେ ପ୍ରଶାନ୍ତ ନନ୍ଦ ଏନସିପିରୁ ଲଢ଼ି ହୋଇଥିଲେ ବିଧାୟକ । ୨୦୦୯ରେ ବିଜେଡିର ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ଜିତିଥିଲେ । ୨୦୧୪ ନିର୍ବାଚନରେ ଓଲିଉଡ ଷ୍ଟାରଙ୍କ ସଂଖ୍ୟା ବଢ଼ିଲା ।

ଭୁବନେଶ୍ବର ଲୋକସଭା ଆସନରେ କଂଗ୍ରେସରୁ ବିଜୟ ମହାନ୍ତି, କଟକ ଲୋକସଭା ଆସନରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ନିର୍ବାଚନ ଲଢିଥିଲେ । ବିଜେଡିରୁ ବ୍ରହ୍ମପୁର ଲୋକସଭା ଆସନରୁ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାନସଭା ଆସନରୁ ଆକାଶ ଦାସ ନାୟକ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ । ଚମ୍ପୁଆ ବିଧାନସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ହାସ୍ୟ ଅଭିନେତା ପପୁ ପମପମ । ଓଲିଉଡ ସୁପରଷ୍ଟାର ବିଜୟ ମହାନ୍ତି, ଅପରାଜିତା ମହାନ୍ତି ବି ପରାଜୟର ମୁହଁଦେଖିଥିଲେ ।

୨୦୧୯ ନିର୍ବାଚନରେ ଅନୁଭବ ମହାନ୍ତି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ପିଙ୍କି ପ୍ରଧାନ ନିର୍ବାଚନ ହାରିଥିଲେ । ପ୍ରଶାନ୍ତ ନନ୍ଦଙ୍କୁ ଛାଡ଼ି ଅଣ ବିଜେଡିରୁ କୌଣସି ଓଲିଉଡ ଷ୍ଟାର ବିଧାନସଭା କି ଲୋକସଭାକୁ ଜିତିନାହାନ୍ତି । ବିଜେଡିର ସହଯୋଗୀ ଦଳ ଭାବେ ଦୁଇ ଥର ପ୍ରଶାନ୍ତ ନନ୍ଦ ଅଣ ବିଜେଡିରୁ ଜିତି ବିଧାନସଭା ଯାଇଛନ୍ତି । ୨୦୨୪ ନିର୍ବାଚନ ପାଇଁ ଏଯାଏ ବିଜେପି ଦୁଇ ଜଣ ସିନେଷ୍ଟାରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜଣେ ଅଭିନେତାଙ୍କୁ ଟିକେଟ ଦେଇଛି ।

ଆଗକୁ ଆଉ କିଛି ସିନେ ଅଭିନେତାଙ୍କୁ ଟିକେଟ ମିଳିପାରେ । ତେବେ ଅଣବିଜେଡି ଦଳରୁ ଯଦି କେହି ସିନେ ତାରକା ୨୪ ନିର୍ବାଚନରେ ବିଧାନସଭା କିମ୍ବା ଲୋକସଭା ଆସନରୁ ଜିତନ୍ତି ତାହାହେଲେ ଏକ ନୂଆ ରେକର୍ଡ ସୃଷ୍ଟି ହେବ। ଯଦି ଏମାନଙ୍କ ଭିତରୁ କେହି ନ ଜିତିବେ ତାହାହେଲେ ପ୍ରଥମ ଥର ପାଇଁ ୨୫ ବର୍ଷ ଭିତରେ ବିଧାନସଭା କିମ୍ବା ଲୋକସଭାରେ କୌଣସି ଓଲିଉଡ ଚେହେରାକୁ ଦେଖିବାକୁ ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.