Below header

କନ୍ଦା ଖୋଳିବାକୁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ରେଢ଼ାଖୋଲ (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଋଷି ବଡ଼ମାଳ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ । ଆଜି ଅପରାହ୍ନରେ ୪୬ ବର୍ଷ ବୟସ୍କ ଭାର୍ଜିଲା ଲାକ୍ରା ନାମକ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରି ମାରି ଦେଇଛି ।

ଘଟଣାରୁ ଜଣାପଡିଛି ଯେ ରେଢ଼ାଖୋଲ ଥାନା ଘୁସୁରାମାଳ ପଞ୍ଚାୟତର ଋଷି ବଡ଼ମାଳ ଗାଁର କିଛି ଲୋକ ମିଶି ନିକଟସ୍ଥ ଜଙ୍ଗଲକୁ କନ୍ଦା ଖୋଳିବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ଭାର୍ଜିଲଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଆକ୍ରମଣ ଏମିତି ସାଂଘାତିକ ଥିଲା ଯେ ତାଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ସାଙ୍ଗରେ ଯାଇଥିବା ଅନ୍ୟ ଯୁବକମାନେ ପ୍ରାଣ ବିକଳରେ ଦୌଡ଼ି ଗାଁକୁ ଫେରି ଆସି ଘଟଣା ସମ୍ପର୍କରେ କହିଥିଲେ ।

ଏକଥା ଜାଣିବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ । ପରେ ସେମାନେ ବନ ବିଭାଗ ଓ ରେଢ଼ାଖୋଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଏବଂ ବନ କର୍ମଚାରୀ ପହଞ୍ଚି ଖଣ୍ଡ ବିଖଣ୍ଡ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନା ପଠାଇ ଥିଲେ। ଏହି ଘଟଣାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.