ସ୍କୁଟିର ବ୍ରେକ୍‌ ଫେଲ୍‌, ଇଟାଗଦାରେ ପିଟି ହୋଇ ଜଣକର ମୃତ୍ୟୁ

ମୋହନା (କେ ନ୍ୟୁଜ୍‌): ସ୍କୁଟିର ବ୍ରେକ୍‌ ଫେଲ୍‌ ହେଲା ଆଉ ଦୁର୍ଘଟଣା ଘଟିଲା। ହେଲେ ଚାଳକ ସିନା ବର୍ତ୍ତିଗଲେ କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହୋଇଗଲା ପଛରେ ବସିଥିବା ବ୍ୟକ୍ତିଙ୍କର । ଗଜପତି ଜ଼ିଲ୍ଲା ମୋହନା ସହର ମୁଖ୍ୟ ବଜ଼ାର ପାଣ୍ଡା ଛକ ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ବ୍ରହ୍ମପୁରର ବାପି ପଟ୍ଟନାୟକ (୬୦)ଙ୍କର ମୃତ୍ୟୁ ହୋଇଛି।

ଛେଲାଗଡ଼ର ପର୍ଶୁରାମ ରଥ କୌଣସି କାର୍ଯ୍ୟରେ ସ୍କୁଟି ନେଇ ମୋହନାକୁ ଆସୁଥିଲେ । ତାଙ୍କ ପଛରେଗା ବାପି ପଟ୍ଟନାୟକ ବସିଥିଲେ । ତେବେ ମୋହନା କଲେଜ ଛକ ନିକଟରେ ହଠାତ ଗାଡିର ବ୍ରେକଫେଲ ହୋଇଯାଇଥିଲା । ଏହାକୁ ନିୟନ୍ତ୍ରଣ କରିବାରେ ଚାଳକ ପର୍ଶୁରାମ ବିଫଳ ହେଲେ । ଗାଡିଟି କ୍ଷୀପ୍ର ଗତିରେ ବଜାର ମଧ୍ୟଦେଇ ପ୍ରାୟ ୧ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା । ଏହା ପରେ ପଣ୍ଡା ଛକ ବୁଲାଣି ରାସ୍ତାରେ ନିର୍ମାଣାଧୀନ ଡ୍ରେନ ନିକଟରେ ଥିବା ଇଟାଗଦାରେ ପିଟି ହୋଇ ଯାଇଥିଲା । ଫଳରେ ସ୍କୁଟି ପଛରେ ବସିଥିବା ବାପି ନାଳରେ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ମୋହନା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁର୍ଘଟଣାରେ ଗାଡି ଚାଳକ ପର୍ଶୁରାମଙ୍କର କୌଣସି କ୍ଷତି ହୋଇନାହିଁ । ମୋହନା ପୋଲିସ ବାପିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଏହା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.